fbpx

ଇଜରାଏଲ ମେସିନ ଥେରାପି ଫେରାଇବ ଯୌବନ, ଲାଳସାରେ ହଜାର ହଜାର ଧାଡିରେ…

କାନପୁର: ମଣିଷ ମାତ୍ରକେ ସମସ୍ତେ ଚାହଁନ୍ତି ଚୀର ଯୌବନ । ସେଥିପାଇଁ ବୟସ ବଢିଗଲେ ଅନେକ ଅବସାଦଗ୍ରସ୍ତ ହୋଇଯାଉଛନ୍ତି । ଯାହାର ଫାଇଦା ନେଇ କାନପୁରର ଏକ ହାଇପ୍ରୋଫାଇଲ ଠକ ଦମ୍ପତି ଲୁଟିନେଇଛନ୍ତି କୋଟିକୋଟି ଟଙ୍କା । ଏହି ଦମ୍ପତିଙ୍କ ଠକାମୀର ଶିକାର ହେବା ପରେ ଅନେକ ଲୋକ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଟଙ୍କା ଫେରିପାଇବାକୁ । ସେପଟେ ଠକ ଦମ୍ପତି ଏବେ ଫେରାର ।

ଘଟଣାଟି ଥିଲା ଏମିତିା କାନପୁରର କିଦୱାଇ ସହରରେ ଏକ ଦମ୍ପତି ଭଡାରେ ଆସି ରହିଥିଲେ । ସେମାନେ ସେଠାରେ ଏକ ଏଜ ରିଭାଇଭାଲ ସେଣ୍ଟର ଖୋଲିଥିଲେ । ସେଣ୍ଟରରେ ଥେରାପି ଦ୍ୱାରା ବୟସ୍କଙ୍କ ଶରୀରରେ ଯୁବାବସ୍ଥା ଫେରିବାକୁ ନେଇ ପ୍ରଚାର ହୋଇଥିଲା । କିଛି ନାଚୁରାଲ ଥେରାପି ସହ ଅକ୍ସିଜେନ ଥେରାପି ନିୟମିତ କିଛି ମାସ ନେଲେ ପୁଣି ଯୌବନ ଫେରି ଆସିବ ବୋଲି ଦମ୍ପତି ଲୋକଙ୍କୁ ବୁଝାଇଥିଲେ । ଇଜରାଏଲରୁ ଦାମୀ ମେସିନ ଆଣାଯାଇଥିବାରୁ ଚାର୍ଜ ଅଧିକଥିବା ବୁଝାଇ ଦିଆଯାଇଥ୍ିଲା ।

ଜଣକା ୬ ହଜାରର ପ୍ୟାକେଜ ଥିବା ବେଳେ ଚେନ ସିଷ୍ଟମରେ ଅଧିକ ଗ୍ରାହକ ସଂଗ୍ରହ କରି ପାରିଲେ ସେହି ବ୍ୟକ୍ତିଙ୍କୁ ମାଗଣା ଥେରାପି ଦିଆଯିବ ବୋଲି ପ୍ରଲୋଭନ ଦେଖାଯାଇଥିଲା । ଲୋକେ ଦମ୍ପତିଙ୍କ ଏହି ଲୋଭନୀୟ ପ୍ରସ୍ତାବରେ ଫସିଯାଇଥିଲେ । ଜଣେ ଜଣେ ୧୦-୧୫ ଜଣଙ୍କୁ ସେଣ୍ଟରେ ନାମ ପଞ୍ଜିକରଣ କରାଇଥିଲେ । ଏମିତି ପ୍ରତ୍ୟେକ ଲୋକଙ୍କ ନିକଟରୁ ୬ହଜାର ଲେଖା ପ୍ରାୟ ହଜାରରୁ ଅଧିକ ଲୋକଙ୍କଠାରୁ ଟଙ୍କା ଆଦାୟ ହୋଇଥିଲା । କିନ୍ତୁ ଥେରାପିରେ କୌଣସି ଫରକ ପଡି ନ ଥିଲା । ଲୋକେ ପଚାରିବାରୁ ଠକ ଦମ୍ପତି କହୁଥିଲେ ଏହି ପ୍ରସେସ ପାଇଁ କିଛି ସମୟ ଲାଗିବ ।

ଯେତେବେଳେ ଲୋକଙ୍କ ଭିତରେ ଅସ୍ଥିରତା ପ୍ରକାଶ ପାଇଲା, ସେହି ଦମ୍ପତି ଭଡା ଘର ଛାଡି ସେଠାରୁ ଉଭାନ ହୋଇଗଲେ । ପୋଲିସ ମୁତାବକ, ସେହି ଦମ୍ପତି ଲୋକଙ୍କଠାରୁ ୩୫ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି । ଏବେ ସେମାନଙ୍କ ଫୋନ ମଧ୍ୟ ଲାଗୁନାହିଁ । ପୋଲିସ ସନ୍ଦେହ କରୁଛି, ଲୋକଙ୍କୁ ଚୂନା ଲଗେଇବା ପରେ ଏହି ଦମ୍ପତି ବିଦେଶକୁ ଖସି ଯାଇଥାଇପାରନ୍ତି ।

Get real time updates directly on you device, subscribe now.