fbpx

ଗଣଶିକ୍ଷା ବିଭାଗର ବଡ଼ ପଦକ୍ଷେପ: ଛାତ୍ରଛାତ୍ରୀ ଲେଖିବେ ନିଜର ପୁସ୍ତକ ‘ମୋ କଥା ମୋ କାହାଣୀ’

ଭୁବନେଶ୍ୱର: ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଲଗାତାର ପ୍ରୟାସ ଜାରି ରଖିଛି ଗଣଶିକ୍ଷା ବିଭାଗ । ପିଲାମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଇ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ପ୍ରୟାସ କରାଯାଉଛି । ଏହିକ୍ରମରେ ଏବେ ଗଣଶି୪ା ବିଭାଗ ଆଉ ଏକ ବଡ଼ ପଦକ୍ଷେପ ନେଇଛି । ଏଣିକି ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନିଜର ପୁସ୍ତକ ଲେଖିବା ପାଇଁ ପ୍ରୋତ୍ସାହନ କରାଯାଉଛି । ହାତଲେଖା ପୁସ୍ତକ ‘ମୋ କଥା ମୋ କାହାଣୀ’ ସହ ପିଲାମାନେ ଗଳ୍ପ ପଠନ ଏବଂ କବିତା ଆବୃତ୍ତି ମଧ୍ୟ କରିବେ । ଆସନ୍ତା ଜାନୁୟାରୀ ୧୪ ତାରିଖରୁ ୨୦ ତାରିଖ ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛି ଗଣଶିକ୍ଷା ବିଭାଗ ।

ରାଜ୍ୟର ବିଭିନ୍ନ ସ୍କୁଲର ରୂପରେଖ ରୂପାନ୍ତରଣ କରାଯାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ଦକ୍ଷତା ଏବଂ ପ୍ରତିଭାକୁ ମଧ୍ୟ ନୂଆ ସୁଯୋଗ ଦିଆଯାଉଛି । ବିଦ୍ୟାଳୟଗୁଡ଼ିକୁ ସ୍ମାର୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ କରୁଥିବା ବେଳେ ପିଲାମାନଙ୍କୁ ସ୍ମାର୍ଟ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି ଗଣଶିକ୍ଷା ବିଭାଗ । ତେଣୁ ଆସନ୍ତା ୧୪ ତାରିଖରୁ ୨୦ ତାରିଖ ମଧ୍ୟରେ ଏକ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ହାତଲେଖା ପୁସ୍ତକ ପ୍ରସ୍ତୁତ କରିବା ପାଇଁ ପ୍ଲାଟଫର୍ମ ଦେଉଛି ଗଣଶିକ୍ଷା ବିଭାଗ । ଏହି କାର୍ଯ୍ୟକ୍ରମ ରୂପାନ୍ତରଣ ହୋଇଥିବା ଉଚ୍ଚ ବିଦ୍ୟାଳୟରେ ଗୋଟିଏ ଦିନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର ସଫଳତା ସମ୍ପର୍କରେ ପୁରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ସୂଚନା ଦିଆଯିବ । ପିଲାମାନଙ୍କ ଲୁକ୍କାୟିତ ପ୍ରତିଭାକୁ ସୁଯୋଗ ଦେଇ ସେମାନଙ୍କ ସାମର୍ଥ୍ୟକୁ ପ୍ରତିପାଦିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।

ଏହି କାର୍ଯ୍ୟକ୍ରମର ଫଳାଫଳ ଏବଂ ରୂପାନ୍ତରଣ ପୁରାତନ ପିଲାମାନଙ୍କ ସହ ଅଭିଭାବକମାନଙ୍କୁ ମଧ୍ୟ ଦେଖାଯିବ । ଏଥିପାଇଁ ସ୍କୁଲ ତରଫରୁ ଧାର୍ଯ୍ୟ ହୋଇଥିବା ତାରିଖରେ ସେମାନଙ୍କୁ ନିମନ୍ତ୍ରଣ କରାଯିବ । ତେବେ ସୂଚନା ଅନୁସାରେ, ରାଜ୍ୟର ମୋଟ ୮୦୯୯ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୬୮୮୦ଟି ସ୍କୁଲରେ ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇଛି । ସ୍ମାର୍ଟ କ୍ଲାସରୁମ ସାଙ୍ଗକୁ ଉନ୍ନତ ପାଠାଗାର ଏବଂଲ୍ୟାବ୍ ଇତ୍ୟାଦି ଉପଲବ୍ଧ କରିଛନ୍ତି ରାଜ୍ୟ ସରକାର । ରୂପାନ୍ତରଣ ପରେ ସ୍କୁଲର ଶୈକ୍ଷିକ ବାତାବରଣ ପିଲାମାନଙ୍କୁ ପାଠପଢିବା ପାଇଁ ଆକୃଷ୍ଟ କରୁଥିବା ଦେଖାଯାଇଛି ।

Get real time updates directly on you device, subscribe now.