୧ ନମ୍ବର ହାଟ ଭୂତଳ ମାର୍କେଟ୍‌ରେ ଅଗ୍ନିକାଣ୍ଡ, ଜଳିଗଲା ଏକାଧିକ କପଡା ଦୋକାନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସ୍ଥିତ 1 ନମ୍ବର ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ । ଗୁରୁବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିବା ବେଳେ ଏକାଧିକ କପଡା ଦୋକାନ ଜଳିଯାଇଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ମୃତାହତ ନେଇ କୌଣସି ଖବର ମିଳିନଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ରାତିରେ ପ୍ରାୟ 11ଟା ସମୟରେ ନିଆଁ ଲାଗିଯାଇଥିଲା । ଦୀର୍ଘ ଅଢେଇ ଘଣ୍ଟା ଧରି ନିଆଁ ଲାଗି ରହିଥିଲା । ନିଆଁ ଓ ଧୂଆଁର ବଳୟରେ ରହିଲା ରାଜମହଲରୁ ଏଜି ଛକ ରାସ୍ତା  । ଖବର ପାଇ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ 4 ଘଣ୍ଟା ସମୟ ଲାଗିଥିଲା । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ହେଁ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି । ଶାଢୀ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇ ସେଥିରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରିଥିଲା ।