fbpx

ଜୁଲାଇ ୯ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମାଟ୍ରିକ ପ୍ରମାଣପତ୍ର, ଜାଣନ୍ତୁ କେତେ ତାରିଖ ପର୍ଯ୍ୟନ୍ତ କରିପାରିବେ ସଂଶୋଧନ ?

Advertisement

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଆସନ୍ତା ଜୁଲାଇ ୨ ଏବଂ ୩ ତାରିଖରେ ଦଶମ ଶ୍ରେଣୀ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ। ଏଥିପାଇଁ ସବୁ ଜିଲାର ସଦର ମହକୁମାରେ ବିତରଣ କେନ୍ଦ୍ର ଖୋଲାଯାଇଛି। ବିଦ୍ୟାଳୟର ମୁଖ୍ୟ ତଥା ପ୍ରଧାନ ଶିକ୍ଷକମାନେ ଆବଶ୍ୟକ ତଥ୍ୟ ଦେଇ କୃତୀ ବିଦ୍ୟାର୍ଥୀଙ୍କ ପ୍ରମାଣପତ୍ର ନେଇପାରିବେ।

ରାଜ୍ୟର ପ୍ରତି ସ୍କୁଲରେ ଆସନ୍ତା ଜୁଲାଇ ୯ ତାରିଖ ଦିନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରମାଣପତ୍ର ଦିଆଯିବ। ଯଦି ଏହି ପ୍ରମାଣପତ୍ରରେ କୌଣସି ତ୍ରୁଟି ଥିବ, ତାହାକୁ ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସଂଶୋଧନ କରାଯାଇପାରିବ। ଏଥି ନିମନ୍ତେ ବୋର୍ଡ ପକ୍ଷରୁ ୧୦ ଦିନ ଅବଧି ଦିଆଯାଇଛି। ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ସଂଶୋଧନ ପ୍ରକ୍ରିୟା ହେବାକୁ ଥିବାବେଳେ ମୁଖ୍ୟ କାର୍ଯ୍ୟାଳୟରେ ପ୍ରମାଣପତ୍ର ମୁଦ୍ରଣ ପାଇଁ ନିର୍ଦ୍ଧାରିତ ଦେୟ ଦେଇ ସଂଶୋଧନ କରିପାରିବେ।

ପ୍ରମାଣପତ୍ର ବଣ୍ଟନ ପ୍ରକ୍ରିୟାକୁ ତଦାରଖ କରିବା ନିମନ୍ତେ ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ କୁହାଯାଇଛି। ଯଦି କୌଣସି ବିବାଦ ବା ଅସୁବିଧା ସୃଷ୍ଟି ହୁଏ ତୁରନ୍ତ ପଦକ୍ଷେପ ନେବାକୁ ୩୦ ଜିଲାର ଡିଇଓଙ୍କୁ ପରାମର୍ଶ ଦିଆଯାଇଛି। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା(ପ୍ରଥମ)ରେ କୃତୀ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରମାଣପତ୍ର ବିତରଣ ନିମନ୍ତେ ୩୦ଟି କେନ୍ଦ୍ର ବୋର୍ଡ ଦ୍ବାରା କରାଯାଇଛି। ମଧ୍ୟରୁ କଟକ ଜିଲା ପାଇଁ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ପ୍ରମାଣପତ୍ର ପ୍ରଦାନ କରାଯିବ। ଅନଗୁଳ,ରାୟଗଡା,ନବରଙ୍ଗପୁର, ଝାରସୁଗୁଡା,ବୌଦ୍ଧ ଏବଂ କନ୍ଧମାଳରେ ଡିଇଓଙ୍କ କାର୍ଯ୍ୟାଳୟରେ ଏଥିପାଇଁ ବ୍ୟବସ୍ଥା ହୋଇଛି। ଜଗତସିଂହପୁରରେ ଏସ.କେ ଏକାଡେମୀ, କେନ୍ଦ୍ରାପଡ଼ା ଜିଲା ପାଇଁ ଦୁହୁରିଆସ୍ଥିତ ରତ୍ନାକର ଉଚ୍ଚ ବିଦ୍ୟାଳୟ, ଯାଜପୁରରେ ଜିଲା ହାଇସ୍କୁଲ, ଢେଙ୍କାନାଳରେ ବି.ବି ଉଚ୍ଚ ବିଦ୍ୟାଳୟ, ପୁରୀରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଖୋର୍ଦ୍ଧାରେ ଭୁବନେଶ୍ବରସ୍ଥିତ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ,ନୟାଗଡରେ ବ୍ରଜେନ୍ଦ୍ର ହାଇସ୍କୁଲ, ବାଲେଶ୍ବରରେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ, ଭଦ୍ରକରେ ଜିଲା ହାଇସ୍କୁଲ, କେନ୍ଦୁଝରରେ ଏନ.ଏସ ପୁଲିସ ଉଚ୍ଚ ବିଦ୍ୟାଳୟ, ମୟୂରଭଞ୍ଜରେ ଏମ.କେ.ସି ଉଚ୍ଚ ବିଦ୍ୟାଳୟ, ଗଜପତିରେ ପାରଳାଖେମୁଣ୍ଡିସ୍ଥିତ ପୁରୁଣା ଡିସିପି କାର୍ଯ୍ୟାଳୟ, ଗଞ୍ଜାମ ପାଇଁ ବ୍ରହ୍ମପୁର ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ, କଳାହାଣ୍ଡି ପାଇଁ ଭବାନୀପାଟଣାସ୍ଥିତ ବି.ଏମ ହାଇସ୍କୁଲ, ନୂଆପଡାରେ ନ୍ୟାସନାଲ ହାଇସ୍କୁଲ,ବରଗଡରେ ଜର୍ଜ ଉଚ୍ଚ ବିଦ୍ୟାପୀଠ, ସମ୍ବଲପୁରରେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ, ଦେବଗଡରେ ଆରବିଡି ହାଇସ୍କୁଲ, ବଲାଙ୍ଗିର ପାଇଁ ପି.ଆର ହାଇସ୍କୁଲ, ସୁବର୍ଣ୍ଣପୁର ପାଇଁ ସୋନପୁରସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ସୁନ୍ଦରଗଡରେ ବିଏସ ହାଇସ୍କୁଲ ଏବଂ କୋରାପୁଟ ଜିଲା ନିମନ୍ତେ ଜୟପୁରସ୍ଥିତ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ମାଟ୍ରିକ ପ୍ରମାଣପତ୍ର ବଣ୍ଟନ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Get real time updates directly on you device, subscribe now.