ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜ୍ୟ ସରକାର ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଦରମା ବୃଦ୍ଧି କରୁଥିବା ଦେଖାଯାଉଛି । ଏହା ମଧ୍ୟରେ ମାଟ୍ରନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମାଟ୍ରନଙ୍କ ପାରିଶ୍ରମିକ ରାଶି ବୃଦ୍ଧି କରାଯାଇଛି । ପୂର୍ବରୁ ମାଟ୍ରନମାନେ ମାସିକ ୧୦ ହଜାର ଟଙ୍କା ପାରିଶ୍ରମିକ ପାଉଥିବା ବେଳେ ଏବେ ତାହା ୧୫ ହଜାର କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।
ସୂଚନା ମୁତାବକ, ଜନଜାତି ଛାତ୍ରୀ ନିବାସ ମାଟ୍ରନମାନଙ୍କ ପାରିଶ୍ରମିକ ରାଶି ବୃଦ୍ଧି କରାଯାଇଛି । ପୂର୍ବରୁ ମାଟ୍ରନଙ୍କର ମାସିକ ପାରିଶ୍ରମିକ ୧୦ ହଜାର ଟଙ୍କା ରହିଥିବା ଏବେ ଏବେ ତାହା ୫ ହଜାର ବୃଦ୍ଧି କରାଯାଇ ୧୫ ହଜାର କରାଯାଇଛି । ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଉନ୍ନୟନ ସଂଖ୍ୟାଲଘୁ ତଥା ପଛୁଆବର୍ଗ (ଓବିସି) ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଛାତ୍ରୀ ନିବାସଗୁଡ଼ିକରେ କାର୍ଯ୍ୟରତ ମାଟ୍ରନଙ୍କ ପାରିଶ୍ରମିକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।
ଯଦି ଦୁର୍ଭାଗ୍ୟବଶତଃ କୌଣସି କାର୍ଯ୍ୟରତ ମହିଳା ମାଟ୍ରନ ମୃତ୍ୟୁବରଣ କରନ୍ତି ତେବେ ତାଙ୍କର ଉତ୍ତରାଧିକାରୀଙ୍କୁ ଏକାକାଳୀନ ଦୁଇ ଲକ୍ଷ ଟଙ୍କାର ସହାୟତା ରାତି ପ୍ରଦାନ କରାଯିବ । ଏଥିସହିତ ୬୦ ବର୍ଷ ପରେ ସେବା ନିବୃତ୍ତ ହେବା ପରେ ସେମାନଙ୍କୁ ଏକସଙ୍ଗେ ୧ ଲକ୍ଷ ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୧୫ କୋଟିରୁ ଅଧିକ ଟଙ୍କ ଖର୍ଚ୍ଚ କରିବେ ।