ନୂଆଦିଲ୍ଲୀ: ନିର୍ବାଚନ ବେଳେ ଦେଇଥିବା ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସୁଭାସ୍ପା ବିଧାୟକ ଆବାସ ଅନସାରୀ। ଦୁଇ ବର୍ଷ ଜେଲଦଣ୍ଡ ଏବଂ ତିନି ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ। ସେହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ମନସୁର ଅନସାରୀଙ୍କୁ ଛଅ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶ ମଉର ସାଂସଦ-ବିଧାୟକ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି। ଏହି ଦଣ୍ଡ ପରେ ଜନପ୍ରତିନିଧିତ୍ୱ ଆଇନ ଅନୁସାରେ ଆବାସଙ୍କ ବିଧାୟକ ପଦ ରଦ୍ଦ ହେବାର ସମ୍ଭାବନା ରହିଛି।
ଏହି ମାମଲା ୨୦୨୨ ମସିହା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ଘଟିଥିବା ଏକ ଘଟଣା ସହ ଜଡ଼ିତ। ମାର୍ଚ୍ଚ ୩, ୨୦୨୨ରେ ମଉର ପହାଡ଼ପୁର ମୈଦାନରେ ଆୟୋଜିତ ଏକ ନିର୍ବାଚନୀ ଜନସଭାରେ ଅବ୍ବାସ ଅନସାରୀ ପ୍ରଶାସନିକ ଅଧିକାରୀମାନଙ୍କୁ “ସରକାର ଗଠନ ହେବା ପରେ ହିସାବ କରାଯିବ” ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ବୟାନକୁ ହେଟ୍ ସ୍ପିଚ୍ ବୋଲି ଗଣନା କରାଯାଇ ମଉ କୋତୱାଲୀ ଥାନାରେ ସବ୍-ଇନ୍ସପେକ୍ଟର ଗଙ୍ଗାରାମ ବିନ୍ଦଙ୍କ ଅଭିଯୋଗ ଆଧାରରେ ଆବାସ ଏବଂ ତାଙ୍କ ଭାଇ ଉମର ଅନସାରୀ ଓ ଅନ୍ୟମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା।
ଆବାସଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୫୦୬ (ଅପରାଧିକ ଧମକ), ୧୭୧ଏଫ (ନିର୍ବାଚନରେ ଅନୁଚିତ ପ୍ରଭାବ), ୧୮୬ (ସରକାରୀ କାର୍ଯ୍ୟରେ ବାଧା), ୧୮୯ (ସରକାରୀ କର୍ମଚାରୀଙ୍କୁ ଧମକ), ୧୫୩ଏ (ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି) ଏବଂ ୧୨୦ବି (ଅପରାଧିକ ଷଡ଼ଯନ୍ତ୍ର) ଆଧାରରେ ମାମଲା ରୁଜୁ ହୋଇଥିଲା। ଏହା ବ୍ୟତୀତ ଦକ୍ଷିଣ ଟୋଲା ଥାନାରେ ନିର୍ବାଚନ ଆଚରଣ ସଂହିତା ଉଲ୍ଲଙ୍ଘନ ସମ୍ପର୍କିତ ଏକ ଅଲଗା ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ମନସୁର ଅନସାରୀଙ୍କୁ ୬ ମାସ ଜେଲ ଦଣ୍ଡ ଏବଂ ୧,୦୦୦ ଟଙ୍କା ଜୋରିମାନା ଦିଆଯାଇଛି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଯଦି କୌଣସି ବିଧାୟକ ବା ସାଂସଦଙ୍କୁ ୨ ବର୍ଷ ବା ତା’ଠାରୁ ଅଧିକ ସଜା ମିଳେ, ତେବେ ତାଙ୍କର ବିଧାୟକ ବା ସାଂସଦ ପଦ ରଦ୍ଦ ହୋଇଯାଏ। ଏହି ନିୟମ ଅନୁଯାୟୀ, ଆବାସ ଅନସାରୀଙ୍କ ବିଧାୟକ ପଦ ଏବେ ରଦ୍ଦ ହେବାର ସମ୍ଭାବନା ରହିଛି। ତେବେ, ଆବାସ ଏହି ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଆବେଦନ କରିବେ ବୋଲି ସୂଚନା ମିଳିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯଦି ଅପିଲ ମାଧ୍ୟମରେ ରାୟ ତାଙ୍କ ପକ୍ଷରେ ଆସେ, ତେବେ ତାଙ୍କ ବିଧାୟକ ପଦ ପୁନଃସ୍ଥାପିତ ହୋଇପାରେ।