fbpx

ପୋଲିସ ଉପରକୁ ଆଙ୍ଗୁଳି ଉଠାଇଲେ ମାୟାବତୀ ଓ ଅଖିଳେଶ

ନୂଆଦିଲ୍ଳୀ: ଉତ୍ତର ପ୍ରଦେଶରୁ ଦୁଇ ଅଲକାଏଦା ଆତଙ୍କବାଦୀ ଗିରଫ ହୋଇଥିବା ବେଳେ ଏବେ ଏହାକୁ ନେଇ ରାଜନୈତିକ ରୁଟି ସେକା ଚାଲିଛି । ରାଜ୍ୟର ଦୁଇ ଦୁଇ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ପୋଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି । ଟ୍ୱିଟ କରି ମାୟାବତୀ ଉତ୍ତରପ୍ରଦେଶ ପୋଲିସର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ପୂର୍ବରୁ ଅଖିଳେଶ ଯାଦବ ମଧ୍ୟ ପୋଲିସ ବିରୋଧରେ ବୟାନ ଦେଇଥିଲେ । ଉତ୍ତର ପ୍ରଦେଶ ପୋଲିସ ଉପରେ ତାଙ୍କର ଭରସା ନଥିବା ଅଖିଳେଶ କହିଥିଲେ । ସୋମବାର ମାୟାବତୀ ଟ୍ୱିଟ କରି ୟୁପି ପୋଲିସକୁ ନିଶାଣରେ ରଖିଛନ୍ତି ।

ମାୟାବତୀ ଟ୍ୱିଟ୍ କରି କହିଛନ୍ତି, ‘ଯଦି ଦୁଇ ଗିରଫ ବ୍ୟକ୍ତି ଅଲକାଏଦାର ହୋଇଥିବା ଖବର ସତ ତେବେ ଏହା ଅତ୍ୟନ୍ତ ଗମ୍ଭୀର ବିଷୟ । ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ । ଏହା ସହିତ ଏହି ମାମଲାକୁ ନେଇ ରାଜନୀତି ନହେବା ଆବଶ୍ୟକ ।’ ପରବର୍ତ୍ତୀ ଟ୍ୱିଟରେ ସେ ଲେଖିଛନ୍ତି ‘ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଏଭଳି ଗିରଫଦାରୀ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଯଦି ଏହି ଘଟଣା ସତ ତେବେ ପୋଲିସ ଏତେଦିନ ଧରି କ’ଣ କରୁଥିଲା ବୋଲି ମାୟା ପ୍ରଶ୍ନ କରିଛନ୍ତି । ପୋଲିସର ଏଭଳି କାମ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାର ଏପରି କାମ ନ କରନ୍ତୁ ଯାହାଦ୍ୱାରା ସାଧାରଣ ଜନତାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉ । ଏପରି ଟ୍ୱିଟ୍ କରିବା ସହିତ ମାୟାବତୀ ଉଭୟ ଯୋଗୀ ସରକାର ଏବଂ ପୋଲିସକୁ ଟାର୍ଗେଟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ରବିବାର ଉତ୍ତର ପ୍ରଦେଶ ଏଟିଏସ୍ ଦୁଇ ଆତଙ୍କୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଜୀବନ୍ତ ପ୍ରେସର କୁକର ବୋମା ଜବତ କରାଯାଇଥିଲା । ଦୁଇ ଆତଙ୍କୀଙ୍କ ନିକଟରୁ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ନକ୍ସା ମଧ୍ୟ ଜବତ କରାଯାଇଥିଲା । ଏଡିଜି ପ୍ରଶାନ୍ତ କୁମାର ଏହାକୁ ୟୁପି ପୋଲିସର ବଡ ସଫଳତା ବୋଲି ଅଭିହିତ କରିଛନ୍ତି ।

Get real time updates directly on you device, subscribe now.