ହସ୍ପିଟାଲର CEO ଓ ଡାକ୍ତରାଣୀ କରୁଥିଲେ ଡ୍ରଗ୍ସ କାରବାର
୫ ଲକ୍ଷ ଟଙ୍କାର ଡ୍ରଗ୍ସ କାରବାର ବେଳେ ଡାକ୍ତରାଣୀଙ୍କୁ ଧରିଲା ପୋଲିସ।
ହାଇଦ୍ରାବାଦ: ସାମ୍ନାକୁ ଆସିଲା ବଡ଼ ଡାକ୍ତରାଣୀଙ୍କ ବଡ଼ କାରନାମା। ମୋଟା ଅଙ୍କର ଟଙ୍କା ଦେଇ କିଣୁଥିଲେ ଦାମୀ ଡ୍ରଗ୍ସ। କେବଳ ହସ୍ପିଟାଲର ଡାକ୍ତରାଣୀ ନୁହେଁ ହସ୍ପିଟାଲର ସିଇଓ ମଧ୍ୟ ଏହି କାରବାରରେ ସାମିଲ ଥିଲେ।
ଦୁହେଁ ପ୍ରାୟ ୫ ଲକ୍ଷ ଟଙ୍କାର ଡ୍ରଗ୍ସ କାରବାର କଲାବେଳେ ପୋଲିସ ହାତରେ ଧରା ପଡିଥିଲେ। ପୋଲିସ ସୂତ୍ର ଅନୁଯାୟୀ, ମୁମ୍ବାଇର ଜଣେ ଯୋଗାଣକାରୀ ବଂଶ ଧକ୍କରଙ୍କଠାରୁ ଏକ କୋରିଅର ମାଧ୍ୟମରେ ଡ୍ରଗ୍ସ କିଣୁଥିବାବେଳେ, ଉଭୟ ପୋଲିସ ପଞ୍ଝାରେ ପଡିଥିଲେ।
ଡାକ୍ତରାଣୀଙ୍କ କାରନାମା: ହଁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲର ସିଇଓ ଓ ଜଣେ ଡାକ୍ତରୀ ପ୍ରାକ୍ଟିସନର ନମ୍ରତା ଚିଗୁରୁପତି, ଯାହାଙ୍କ ବୟସ ୩୪ ବର୍ଷ। ଦୁହେଁ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି। କିନ୍ତୁ ତାଉପରେ ଚୋରାରେ ଡ୍ରଗ୍ସ କାରବାର ମଧ୍ୟ କରୁଛନ୍ତି।
ହେଲେ କଥାରେ ଅଛି ପରା ଚୋର ଘର ସବୁଦିନ ଅନ୍ଧାର ନ ଥାଏ। ଦିନେ ନା ଦିନେ ସତ ସାମ୍ନାକୁ ଆସେ। ଠିକ୍ ଯେମିତି ଡାକ୍ତରାଣୀ ଓ ସିଇଓଙ୍କ ଡ୍ରଗ୍ସ କାରବାର ସତ ଏବେ ସାମ୍ନାକୁ ଆସିଛି।
ହ୍ୱାଟ୍ସଆପରେ ବେପାର: ପୋଲିସ ସୂତ୍ରରୁ ଜଣାପଡିଛି ଯେ, ନମ୍ରତା ହ୍ୱାଟ୍ସଆପ୍ ମାଧ୍ୟମରେ ବଂଶଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ୫ ଲକ୍ଷ ଟଙ୍କାର ଡ୍ରଗ୍ସ କିଣିବା ପାଇଁ ଅନଲାଇନରେ ଟଙ୍କା ଦେଇଥିଲେ।
ବାଳକୃଷ୍ଣ ଡ୍ରଗ୍ସ ପରିବହନ କରି ରାୟଦୁର୍ଗମରେ ନମ୍ରତାଙ୍କୁ ଦେଇଥିଲେ। ଏହି ସମୟରେ ପୋଲିସ ସୁରାକ ପାଇ ଉଭୟଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।
ଟଙ୍କା ଜହତ: ଗିରଫ ଦୁଇଜଣଙ୍କଠାରୁ ନଗଦ ୧୦,୦୦୦ ଟଙ୍କା, ୫୩ ଗ୍ରାମ କୋକେନ୍ ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଉଭୟଙ୍କୁ ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି।
ରିପୋର୍ଟ ଅନୁଯାୟୀ, ନମ୍ରତା ପଚରାଉଚରା ସମୟରେ ସ୍ୱୀକାର କରିଛନ୍ତି ଯେ ସେ ପୂର୍ବରୁ ଡ୍ରଗ୍ସ ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି।