ଚିକିତ୍ସାରେ ଅବହେଳା: ଶୋଇ ରହିଲେ ଡାକ୍ତର, ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ହାରିଲେ ବ୍ୟକ୍ତି

ଉତ୍ତରପ୍ରଦେଶ ମେରଠର ଲାଲା ଲାଜପତ ରାୟ ମେମୋରିଆଲ ମେଡିକାଲ କଲେଜରେ ଘଟିଛି ଏଭଳି ଘଟଣା।

ମେରଠ: ଡାକ୍ତର ବାବୁ ଗ୍ରାସ କଲେ ନିଦ୍ରା ଦେବୀ। ଏମରଜେନ୍ସି ୱାଡରେ ରହି ଡାକ୍ତର ବାବୁ ପଡ଼ିଲେ ଶୋଇ। ସେପଟେ ଛଟପଟ ହୋଇ ଚାଲିଗଲା ରୋଗୀ ଜୀବନ। ଉତ୍ତରପ୍ରଦେଶ ମେରଠର ଲାଲା ଲାଜପତ ରାୟ ମେମୋରିଆଲ ମେଡିକାଲ କଲେଜରେ ଘଟିଛି ଏଭଳି ଘଟଣା।

ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଡାକ୍ତର ଚିକିତ୍ସା କରିବା ପରିବର୍ତ୍ତେ ଟେବୁଲ ଉପରେ ଗୋଡ଼ ପକାଇ ଶୋଇ ରହିଛନ୍ତି। ଯେତେ ଉଠାଇଲେ ବି ଡାକ୍ତର ବାବୁ ଉଠିବାକୁ ନାରାଜ।

ଏପଟେ ଚିକିତ୍ସା ଅପେକ୍ଷାରେ ଗୁରୁତର ଆକ୍ସିଡେଣ୍ଟରେ ରୋଗୀ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ହାରିଛନ୍ତି। ଯାହାର ଅଭିଯୋଗ କରିଛନ୍ତି ମୃତଙ୍କ ସମ୍ପର୍କୀୟ।

ଏହା ମେରଠର ବଡ଼ ସରକାରୀ ହସ୍ପିଟାଲ। ଯେଉଁଠି ରୋଗୀଙ୍କୁ ୨୪ ଘଣ୍ଟା ଚିକିତ୍ସା ମିଳିବାର ସ୍ୱପ୍ନ ଦେଖାଯାଏ। ସେଠି ଏଭଳି ଘଟଣା ଘଟିବା ଚିକିତ୍ସା ସୁବିଧା ଏବଂ ଜରୁରୀକାଳୀନ ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।

ଘଟଣା ପରେ ସୋସିଆଲ ମିଡିଆରେ ଲୋକ କ୍ଷୋଭ ପ୍ରକାଶ କରିଛନ୍ତି। ଅନେକ ଲୋକ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଛନ୍ତି।

ମେଡିକାଲ କଲେଜର ପ୍ରିନ୍ସିପାଲ ଡାକ୍ତର ଆରତୀ ଗୁପ୍ତା କହିଛନ୍ତି ଭିଡିଓ ଭାଇରାଲ ହୋଇଛି। ଆକ୍ସିଡେଂଟ କେସ୍ ଆସିଥିଲା, ଯେଉଁଥିରେ ବ୍ୟକ୍ତି ଜଣଙ୍କ ଛଟପଟ ହେଉଥିବା ବେଳେ ଜୁନିଅର ଡାକ୍ତର ଶୋଇ ରହିଥିଲେ।

ଚିକିତ୍ସା ଅଭାବରୁ ବ୍ୟକ୍ତି ଜଣକଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ଦୁଇ ଜଣ ଜୁନିଅର ଡାକ୍ତରଙ୍କୁ ସେହି ସମୟରେ ସସ୍‌ପେଣ୍ଡ କରାଯାଇଛି। ଯାଞ୍ଚ କମିଟି ଗଠନ କରାଯାଇଛି। ରିପୋର୍ଟ ଆସିବା ପରେ ଆଗକୁ କାର୍ଯ୍ୟାନୁଷ୍ଠାନ ନିଆଯିବ।

ମୃତ ବ୍ୟକ୍ତି ଜଣଙ୍କ ନାମ ଥିଲା ସୁନିଲ। ସେ ହସନପୁର ଗାଁର ନିବାସୀ। ସୁନିଲ ରାସ୍ତା ପାର ହେବା ସମୟରେ ଅଜଣା ଗାଡ଼ି ତାଙ୍କୁ ପଛରୁ ଧକ୍କା ଦେଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଚିକିତ୍ସା ପାଇଁ ତାଙ୍କୁ ମେଡିକାଲ ଏମରଜେନ୍ସିରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଙ୍କ ଶୋଇ ରହିଥିଲେ। ଠିକ୍ ସମୟରେ ଚିକିତ୍ସା ନହେବାରୁ ସୁନିଲଙ୍କ ଜୀବନ ଚାଲିଗଲା।