fbpx

ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇବନି କରୋନା ଭ୍ୟାକ୍ସିନ୍, ଆସିଲା ଅଧ୍ୟୟନ ରିପୋର୍ଟ

ଭୁବନେଶ୍ୱର: କୋଭିଡ୍ ଭ୍ୟାକ୍ସିନ୍ ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇବ ବୋଲି ପୂର୍ବରୁ ଚର୍ଚ୍ଚା ଚାଲିଥିଲା । ତେବେ ଏହି ସମସ୍ୟା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ମିଆମି ୟୁନିଭରସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏନେଇ ସ୍ପଷ୍ଟ ହୋଇଛି ।

ଅଧ୍ୟୟନରେ କୁହାଯାଇଛି ଯେ, ଏହି ପରୀକ୍ଷା ନିରୀକ୍ଷାରେ ୪୫ ଜଣ ସ୍ୱେଚ୍ଛାସେବୀଙ୍କୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଫାଇଜର ଟିକା ଓ ୨୪ ଜଣଙ୍କୁ ମଡର୍ଣ୍ଣା ଟିକା ପ୍ରଦାନ କରାଯାଇଥିଲା । ଟିକା ନେବା ପୂର୍ବରୁ ସେମାନଙ୍କର ଶୁକ୍ରାଣୁ ସାନ୍ଦ୍ରତା ମି.ଲି. ପିଛା ୨୬ ନିୟୁତ, ୩୬ ନିୟୁତ ରହିଥିବା ବେଳେ ଟିକା ନେବା ପରେ ତାହା ୩୦ ନିୟୁତ, ୪୪ ନିୟୁତ ବଢ଼ିଯାଇଥିଲା । ସ୍ୱେଚ୍ଛାସେବୀଙ୍କୁ ଶୁକ୍ରାଣୁ ସ୍ତର ଟିକା ନେବା ପୂର୍ବରୁ ଯେତିକି ଥିଲା ଟିକା ନେବା ପରେ ଅଧିକ ରହିଥିବା ଦେଖାଯାଇଥିଲା । ଏପରିକି ସମସ୍ତଙ୍କଠାରୁ କ୍ଷରିତ ଶୁକ୍ର ରସର ପରିମାଣରେ ମଧ୍ୟ ବୃଦ୍ଧି ଘଟିଥିଲା । ଏହାଫଳରେ ଟିକା ନେବା ଦ୍ୱାରା ପୁରୁଷ ପ୍ରଜନନ କ୍ଷମତାରେ ସକାରାତ୍ମକ ପ୍ରଭାବ ପକାଉଥିବା ସ୍ପଷ୍ଟ ହୋଇଥିଲା । ଟିକାକରଣ ଦ୍ୱାରା ପୁରୁଷମାନେ ନପୁଂସକ ହୋଇଯାଉଛନ୍ତି ବୋଲି ଅନେକ ରିପୋର୍ଟରେ ପ୍ରକାଶ ପାଇଥିଲା । କିଛି ବ୍ୟକ୍ତି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଧ୍ୟ ଟିକା ନେବାକୁ ରାଜି ହେଉନଥିଲେ । ତେବେ ଏହି ସମସ୍ତ ଚର୍ଚ୍ଚାର ଏବେ ପରିସମାପ୍ତି ଘଟିବା ସହ ଟିକା ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ କୌଣସି ପ୍ରଭାବ ପକାଇବା ନାହିଁ ବୋଲି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.