fbpx

ମିଳୁନି ପଦୋନ୍ନତି, ବଢୁଛି ଅସନ୍ତୋଷ; ଜଳସେଚନ ବିଭାଗର ଗୁମର…

ଓଡ଼ିଶା ଭାସ୍କର ବ୍ୟୁରୋ: ରାଜ୍ୟରେ ସବୁ ଠିକ୍ ଚାଲିଛି ବୋଲି ଡିଣ୍ଡିମ ପିଟା ଯାଉଛି । ହେଲେ କ୍ଷୁଦ୍ର ଜଳସେଚନ ବିଭାଗର ଗୁମର ଫିଟିବା ପରେ ଅସନ୍ତୋଷ ବଢ଼ି ଚାଲିଛି । ଅଭିଯୋଗ ହୋଇଛି ଯେ, କ୍ଷୁଦ୍ର ଜଳସେଚନ ବିଭାଗରେ କାର୍ଯ୍ୟ କରୁଥିବା ସହକାରୀ ଯନ୍ତ୍ରୀଙ୍କୁ ଦୀର୍ଘବର୍ଷ ପରେ ମଧ୍ୟ ମିଳୁନି ପଦୋନ୍ନତି । କିନ୍ତୁ ଜଳ ସେଚନ ବିଭାଗରୁ ଆସିଥିବା କର୍ମଚାରୀଙ୍କ ପଦୋନ୍ନତି ହୋଇଗଲାଣି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କ୍ଷୁଦ୍ର ଜଳସେଚନ ବିଭାଗର ନିଜସ୍ୱ କ୍ୟାଡର ସହକାରୀଙ୍କ ବ୍ୟତୀତ ଜଳସେଚନ ବିଭାଗରୁ କେତେକ ସହକାରୀ ଯନ୍ତ୍ରୀ ଆସି କାମ କରୁଛନ୍ତି । କିନ୍ତୁ ପଦୋନ୍ନତିରେ ପାତରଅନ୍ତର ନୀତି କରାଯାଉଥିବା ଅଭିଯୋଗ ହେବା ସହ ଅସନ୍ତୋଷ ବଢ଼ିବାରେ ଲାଗିଛି ।

କ୍ଷୁଦ୍ର ଜଳସେଚନ ବିଭାଗ ୨୦୦୮ ମସିହାରେ କେତେକ ସହକାରୀ ଯନ୍ତ୍ରୀଙ୍କୁ ପଦୋନ୍ନତି ଦେଇଥିଲା । କିନ୍ତୁ ଏହାକୁ ଚ୍ୟାଲେଞ୍ଜ କରି ଜଳସେଚନ ବିଭାଗ କ୍ୟାଡର ସହକାରୀ ଯନ୍ତ୍ରୀମାନେ ଓଡ଼ିଶା ଟ୍ରିବ୍ୟୁନାଲରେ ମାମଲା ଦାୟର କରିଥିଲେ । ତେବେ ସେଠାରେ ରାୟ ସପକ୍ଷରେ ନଯିବାରୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ କିନ୍ତୁ ସେଠାରେ ମଧ୍ୟ ପରାଜିତ ହୋଇଥିଲେ । ହେଲେ ଅସନ୍ତୁଷ୍ଟ ଯନ୍ତ୍ରୀ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି କରି ୨୦୦୯ରେ ସର୍ବୋଚ୍ଚ ନ୍ୟାୟାଳୟ ପଦୋନ୍ନତି ଉପରେ ରହିତାଦେଶ ଦେଇଥିଲେ । କିନ୍ତୁ ବିଡ଼ମ୍ବନା ଯେ ଏ ସମ୍ପର୍କରେ ରାଜ୍ୟ ସରକାର ସେବେଠାରୁ ଚୁପ୍ ରହିଛନ୍ତି । ଫଳରେ କ୍ଷୁଦ୍ର ଜଳସେଚନ ବିଭାଗରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ପଦୋନ୍ନତିରୁ ବଞ୍ଚିତ ଥିବାବେଳେ ଜଳସେଚନ କ୍ୟାଡର୍ ସହକାରୀ ଯନ୍ତ୍ରୀମାନେ ପଦୋନ୍ନତି ପାଇଗଲେଣି ।

ଏଠାରେ ବିଚାର ବିଷୟ ଯେ ସର୍ବୋଚ୍ଚ ଅଦାଲତ ରହିତାଦେଶରେ ପରବର୍ତ୍ତୀ ସମୟରେ ଆଉ ବୃଦ୍ଧି କରିନାହାନ୍ତି । ତେଣୁ ନିୟମ ଅନୁସାରେ ୬ ମାସ ପରେ ଉକ୍ତ ଷ୍ଟେ’ ଅର୍ଡର୍ ସ୍ୱତ୍ତଃ ଅଚଳ ହୋଇଥିବା ବିଚାର କରାଯାଏ । ସରକାର ମଧ୍ୟ ପତ୍ର ସଂଖ୍ୟା ୧୯୪୯୫/ (ଜେନେରାଲ୍) ୨୯ ଜୁନ୍ ୨୦୨୧ରେ ସ୍ପଷ୍ଟୀକରଣ ଦେଇଛନ୍ତି ଯେ କୌଣସି ରହିତାଦେଶ ୬ ମାସରୁ ଅଧିକ ସମୟ ହେଲେ ଅଚଳ ହୋଇଯିବ । କିନ୍ତୁ ଜଳସମ୍ପଦ ବିଭାଗ ଏସବୁକୁ ଗୁରୁତ୍ୱ ନଦେଇ କୋର୍ଟ କେସ୍ ଆଦି ଆଳ କରୁଥିôବା ସହକାରୀ ଯନ୍ତ୍ରୀମାନେ ଅଭିଯୋଗ କରିଛନ୍ତି । କ୍ଷୁଦ୍ର ଜଳ ସମ୍ପଦ କ୍ୟାଡରରେ ଥିବା ୮୭ ଜଣ ଯନ୍ତ୍ରୀଙ୍କ ପଦୋନ୍ନତି ଲାଗି କାର୍ଯ୍ୟକ୍ରମ ଗ୍ରହଣ ପାଇଁ ଚିଫ୍ ଇଞ୍ଜିନିୟର ଅନୁରୋଧ କରିଥିଲେ ଏବଂ ଆବଶ୍ୟକୀୟ କାଗଜପତ୍ର ସରକାରଙ୍କ ପାଖରେ ଦାଖଲ କରିଥିଲେ । କିନ୍ତୁ ଏହାପରେ ମଧ୍ୟ ସହକାରୀ ଯନ୍ତ୍ରୀଙ୍କ ପାଇଁ ଡିପିସି ବସିନଥିଲା ।

ରହିତାଦେଶର ଅବଧି ନାହିଁ, ଡିପିସି ପାଇଁ ପ୍ରତିବନ୍ଧକ ନାହିଁ, କିନ୍ତୁ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ପଦୋନ୍ନତି କାହିଁକି ଦିଆଯାଉନି ବୋଲି ପ୍ରଶ୍ନ ଉଠୁଛି । ସେହିପରି କୌଣସି ସରକାରୀ ଅଧିକାରୀ ସୁପ୍ରିମକୋର୍ଟରେ ଥିବା ମାମଲାରେ ପକ୍ଷଭୁକ୍ତ ହେଲେ ନାହିଁ କାହିଁକି? ଉପଯୁକ୍ତ ଆଇନଜୀବୀ କାହିଁକି ଦିଆଗଲା ନାହିଁ? ଅନ୍ୟପକ୍ଷରେ ଚିଠି ସଂଖ୍ୟା ୧୦୧୧୮୨୩/୨୦-୦୫-୨୦୧୬ରେ ସରକାର ସ୍ୱୀକାର କରିଛନ୍ତି ଯେ ଜଳସେଚନ କ୍ୟାଡର ଓ କ୍ଷୁଦ୍ର ଜଳସେଚନ କ୍ୟାଡର ସମ୍ପୂର୍ଣ୍ଣ ଅଲଗା । କେହି କାହା ବିଭାଗରେ ଅନଧିକାର ପ୍ରବେଶ କରିପାରିବେ ନାହିଁ । କିନ୍ତୁ ଏଠାରେ ଏତେ ସବୁ ଘଟିଲା କେମିତି ଓ ସରକାର ନିରବ କାହିଁକି ରହିଛନ୍ତି? କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ୧୬୬ଟି ସହକାରୀ ଯନ୍ତ୍ରୀ ପଦ ରହିଛି । ସେମଧ୍ୟରୁ ୬୬ଟି ପୋଷ୍ଟ ବା ୪୦ ପ୍ରତିଶତ ସହକାରୀ ଯନ୍ତ୍ରୀଙ୍କ ପଦୋନ୍ନତି ଲାଗି ଉଦ୍ଦିଷ୍ଟ । କିନ୍ତୁ ସହକାରୀ ଯନ୍ତ୍ରୀଙ୍କୁ ପଦୋନ୍ନତି ମିଳୁନଥିବାରୁ ଏହା ବିଭାଗ ଉପରେ ପ୍ରଭାବ ପକାଉଛି ଏବଂ ଅସନ୍ତୋଷ ମଧ୍ୟ ବଢ଼ି ଚାଲିଛି ।

Get real time updates directly on you device, subscribe now.