fbpx

ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର: ବିଜ୍ଞପ୍ତି ଜାରି କଲେ ଶ୍ରମ କମିଶନର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଶ୍ରମିକଙ୍କ ପାଇଁ ଏକ ଖୁସି ଖବର । ଶ୍ରମିକଙ୍କର ମଜୁରୀ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଅତି କୁଶଳୀ ବର୍ଗର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି । ସମସ୍ତ ବର୍ଗର ଶ୍ରମିକଙ୍କ ମଜୁରୀ ୧୨ ଟଙ୍କା ବୃଦ୍ଧି କରାଯାଇଛି । ଏନେଇ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜାରି ବିଜ୍ଞପ୍ତି ମୁତାବକ, ଏପ୍ରିଲ ମାସ ୧ ତାରିଖରୁ ପିଛିଲା ଭାବେ ଏହି ବର୍ଦ୍ଧିତ ମଜୁରୀ ଲାଗୁ ହେବ । ଅଣକୁଶଳୀଙ୍କ ମଜୁରୀ ୩୩୩ରୁ ୩୪୫ ଟଙ୍କା, ଅର୍ଦ୍ଧକୁଶଳୀଙ୍କ ମଜୁରୀ ୩୭୩ରୁ ୩୮୫ ଟଙ୍କା, କୁଶଳୀଙ୍କ ମଜୁରୀ ୪୨୩ରୁ ୪୩୫ ଟଙ୍କା, ଅତି କୁଶଳୀଙ୍କ ମଜୁରୀ ୪୮୩ରୁ ୪୯୫ ଟଙ୍କାକୁ ବୃଦ୍ଧି କରାଯାଇଛି । ଗତ ୨୦୧୮ ମସିହା ଅକ୍ଟୋବର ମାସ ୧୦ ତାରିଖରେ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଅତି କୁଶଳୀ ଶ୍ରମିକଙ୍କ ମଜୁରୀ ସ୍ଥିରୀକୃତ ହୋଇଥିଲା ।

ପରବର୍ତ୍ତୀ ସମୟରେ ରାଜ୍ୟ ମିନିମମ ମଜୁରୀ ପରାମର୍ଶ ବୋର୍ଡର ସୁପାରିଶ ଆଧାରରେ ୨୦୧୯ ମସିହା ଠାରୁ ବର୍ଷକୁ ୨ ଥର ମଜୁରୀରେ ସଂଶୋଧନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏହି ସଂଶୋଧନ ଏପ୍ରିଲ ୧ ତାରିଖ ଓ ଅକ୍ଟୋବର ୧ ତାରିଖରୁ ଲାଗୁ କରିବା ପାଇଁ ଧାର୍ଯ୍ୟ ହୋଇଥିଲା । ଉକ୍ତ ନିଷ୍ପତ୍ତି ଅନୁଯାୟୀ, ଗତ ବର୍ଷ ଅକ୍ଟୋବର ୧ ତାରିଖରେ ବିଭିନ୍ନ ପ୍ରକାର ମହଙ୍ଗା ଭତ୍ତାକୁ ଆଧାର କରି ମିନିମମ ୱେଜେସକୁ ସଂଶୋଧନ କରାଯାଇଥିଲା । ତାହା ଚଳିତ ମାସ ପହିଲାରୁ ଲାଗୁ ହେବ ବୋଲି ଶ୍ରମ କମିଶନରଙ୍କ ତରଫରୁ କୁହାଯାଇଛି ।

Get real time updates directly on you device, subscribe now.