ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ଆଲୋଚନା ଜାରି ରହିଥିବା ବେଳେ ଏକ ବଡ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ମୋଦୀ ସରକାର ମିନିଷ୍ଟ୍ରୀ ଅଫ୍ କୋ ଅପରେସନ୍ ନାମକ ଏକ ନୂତନ ବିଭାଗ ଗଠନ କରିବାକୁ ଯାଉଛନ୍ତି । ଏହି ବିଭାଗ ପରିଚାଳନା ପାଇଁ ସ୍ୱତନ୍ତ୍ର ମନ୍ତ୍ରୀ, ଅଫିସର ଏବଂ ଆଇନ ବ୍ୟବସ୍ଥା ଲାଗୁ କରାଯିବ । ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ସହଭାଗିତାରେ ଶାସନ ବ୍ୟବସ୍ଥାକୁ ସୁଦୃଢ କରିବା ଉପରେ ଏହି ବିଭାଗ ଧ୍ୟାନ ଦେବ ବୋଲି ଜଣାପଡିଛି ।
ପ୍ରାରମ୍ଭିକ ଭାବରେ ମିଳିଥିବା ସୂଚନା ଅନୁଯାୟୀ ନୂତନ ଭାବେ ସୃଷ୍ଟି କରାଯାଇଥିବା ଏହି ବିଭାଗ ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ଏବଂ ମଲ୍ଟି ଷ୍ଟେଟ୍ କୋ ଅପରେଟିଭସ୍ ଉପରେ ଧ୍ୟାନ କେନ୍ଦ୍ରିତ କରିବ । ଉଲ୍ଲେଖଯୋଗ୍ୟ ଯେ, ବୁଧବାର ସନ୍ଧ୍ୟାରେ କ୍ୟାବିନେଟ ସମ୍ପ୍ରସାରଣ ହେବାକୁ ଯାଉଛି । କ୍ୟାବିନେଟ୍ ସଂପ୍ରସାରଣ ପୂର୍ବରୁ ଅମିତ ଶାହ, ନିର୍ମଳା ସୀତାରମଣ, ରାଜନାଥ ସିଂ, ପୀୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ବଡ ନେତାଙ୍କ ସହିତ ବୈଠକ କରିଛନ୍ତି ମୋଦୀ ।