ୟୁ-ଟ୍ୟୁବ୍ ଷ୍ଟାର୍ କରିବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ

ଯୋଧପୁର: ଜଣେ ନାବାଳିକାଙ୍କୁ ୟୁଟ୍ୟୁବ୍ ଷ୍ଟାର୍ କରିବା ଆଳରେ ଦୁଷ୍କର୍ମ କରାଯାଇଥିବା ଖବର ସାମନାକୁ ଆସିଛି । ଏହି ଘଟଣା ରାଜସ୍ଥାନର ଯୋଧପୁର ଠାରେ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତକୁ ଗିରଫ କରାଯିବା ପରେ ରିମାଣ୍ଡରେ ନେଇଛି ପୋଲିସ୍ । ପୀଡ଼ିତାଙ୍କ ବୟସ ୧୬ ବର୍ଷ ହୋଇଥିବା ଜଣାପଡ଼ିଛି ।

ସୂଚନା ଯେ, ୧୬ ବର୍ଷ ପୀଡ଼ିତା ଜଣକ ଗତ ତିନିରୁ ଚାରି ବର୍ଷ ଧରି ୟୁଟ୍ୟୁବ୍ ରେ କମେଡି ଭିଡିଓ କରି ଅପଲୋଡ୍ କରିଆସୁଥିଲେ । ଏହାର ଏକ ମାସ ପୂର୍ବରୁ ଅଭିଯୁକ୍ତ ନିଜାମୁଦ୍ଦିନ୍ ସମ୍ପର୍କରେ ଆସିଥିଲେ ପୀଡ଼ିତା । ସେ ପୀଡ଼ିତାଙ୍କୁ ୟୁଟ୍ୟୁବ୍ ର ଏକ ଫେମସ୍ କଳାକାର କରିବେ ବୋଲି କହିଥିଲେ । ଏହାପରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଭିଡିଓ କରିବା ବାହାନାରେ ଜାନୁଆରୀ ୮ ତାରିଖ ଦିନ ଯୋଧପୁରର ଏକ ଫ୍ଲାଟ୍ କୁ ନେଇଯାଇଥିଲା । ଆଉ ସେଠାରେ ତା ସହିତ ଦୁଷ୍କର୍ମ କରିଥିଲା ।

ଏହାପରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଧମକ ଦେଇଥିଲେ ଓ ମାରପିଟ୍ କରିଥିଲେ । ମଉକା ପାଇ ପୀଡ଼ିତା ଜଣକ ନିଜ ପରିବାରକୁ ଫେରିଯାଇ ଘଟଣା ସମ୍ପର୍କରେ କହିଥିଲେ । ଏହାପରେ ଅଭିଯୁକ୍ତ ନାମରେ ପରିବାର ଲୋକେ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ । ଯୋଧପୁରରୁ ଜାନୁଆରୀ ୨୮ ତାରିଖ ଦିନ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା ।