fbpx

ଡାକ୍ତର ପରେ ନର୍ସଙ୍କ ସହ ଅସଦାଚରଣ… କୋଲକାତା ମେଡିକାଲରେ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ

ପଶ୍ଚିମବଙ୍ଗ: କୋଲକାତାର ଆର.ଜି କର ମେଡିକାଲକୁ ନେଇ ଥମୁନି ଚର୍ଚ୍ଚା । ଏହି ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଆନ୍ଦୋଳନ ସାରା ଦେଶକୁ ବ୍ୟାପିଯାଇଛି । ପଶ୍ଚିମବଙ୍ଗ ସମେତ ବିଭିନ୍ନ ସହରରେ ଏହାକୁ ନେଇ ପ୍ରବଳ ବିରୋଧ ପ୍ରଦର୍ଶନ ଜାରି ରହିଛି । ମାମଲାରେ ସିବିଆଇ ତଦନ୍ତ ପାଇଁ ଦାବି ହେଉଥିବା ବେଳେ କୋଲକାତା ହାଇକୋର୍ଟରେ ବିଚାରାଧୀନ ରହିଛି ଏହି ମାମଲା । ଏହାମଧ୍ୟରେ ହସ୍ପିଟାଲରେ ଆଉ ଏକ ମାମଲା ମୁଣ୍ଡ ଟେକିଛି । ଡାକ୍ତରଙ୍କ ପରେ ଅନ୍ୟ ଜଣେ ନର୍ସଙ୍କୁ ଏଠାରେ ଅସଦାଚରଣ କରିବା ସହ ଶାରୀରିକ ଉତ୍ପୀଡ଼ନ ହେଉଥିବା ଅଭିଯୋଗ କରାଯାଇଛି ।

ବର୍ତ୍ତମାନ ସବୁଠାରୁ ବିବାଦୀୟ ଆରଜି କର ହସ୍ପିଟାଲରେ ଜଣେ ରୋଗୀଙ୍କ ପରିବାର ଲୋକଙ୍କ ତରଫରୁ ଅସଦାଚରଣ କରିବା ସହ ଶାରୀରିକ ଉତ୍ପୀଡ଼ନ ନେଇ ଅଭିଯୋଗ ଦାୟର କରାଯାଇଛି । ଡ୍ୟୁଟି ସମୟରେ ଦାୟିତ୍ୱରେ ଥିବା ଜଣେ ନର୍ସଙ୍କ ସହଅସଦାଚରଣ ହୋଇଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଏ ମାମଲା ନେଇ ଏମଏସଭିପି ହେଲ୍ଥଙ୍କୁ ଲିଖିତ ସୂଚନା ଦିଆଯାଇଛି । ବଙ୍ଗଳା ଭାଷାରେ ଲେଖାଯାଇଥିବା ଏହି ଅଭିଯୋଗ ପତ୍ର କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଏମଏସଭିପିଙ୍କୁ ସମ୍ବୋଧିତ କରି ଲେଖାଯାଇଛି ।

ବର୍ତ୍ତମାନ ହସ୍ପିଟାଲର ଇଏନଟି ଓଟି ସୁରକ୍ଷାକୁ ନେଇ ଚିନ୍ତା ଜାହିର କରିଛନ୍ତି ନର୍ସ ଦୀପାନିତା ଡିଣ୍ଡା । ମଧ୍ୟାହ୍ନ ଗୋଟାଏ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ସମସ୍ୟା ରହିଛି । ଏହି ସମୟରେ ପାର୍ଟି ସଦସ୍ୟ ତଥା ଅନ୍ୟାନ୍ୟ ଅନଧିକୃତ ବ୍ୟକ୍ତି ଓଟି ମଧ୍ୟରେ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଛନ୍ତି । ଯାହା ଫଳରେ ବିଭିନ୍ନ ସମସ୍ୟା ହେବା ସହ ସକାଳ ସମୟର ଷ୍ଟାଫ ମାନଙ୍କ ସହ ସମ୍ପର୍କ ରଖିବାରେ ମଧ୍ୟ ସମସ୍ୟା ଦେଖାଦେଉଛି । ଓଟିର ଏଣ୍ଟ୍ରି ଗେଟ୍ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଠାରେ ସୁରକ୍ଷାକୁ ନେଇ ଚିନ୍ତା ବୃଦ୍ଧି ହେଉଛି ।

Hospital

ତେଣୁ ଡ୍ୟୁଟି ସମୟରେ ଉଚିତ୍ ତଥା ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ପାଇଁ ସେ ଅନୁରୋଧ କରିଛନ୍ତି । ଏହାସହିତ ଅଧିକାରୀମାନଙ୍କୁ ସୁରକ୍ଷା ଏବଂ ଉଚିତ୍ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.