ବ୍ରହ୍ମପୁର: ବର୍ତ୍ତମାନ ସମୟରେ ଦିନକୁ ଦିନ ଚୋରଙ୍କର ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଭଗବାନଙ୍କୁ ମଧ୍ୟ ଭୟ ନକରି ମନ୍ଦିରରେ ପଶି ଚୋରି କରୁଛନ୍ତି । ଏଭଳି ଏକ ଖବର ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲାର ଅଧୀଷ୍ଠାତ୍ରୀ ଦେବୀ ତାରାତାରିଣୀ ମନ୍ଦିରରୁ । ମା’ଙ୍କ ସୁନା ଓ ରୁପା ଅଳଙ୍କାର ଚୋରି ଅଭିଯୋଗ ହୋଇଛି । ଏହା ସହିତ ଦାନ ହୁଣ୍ଡି ଭାଙ୍ଗି କଳାକନା ବୁଲାଇଦେଇଛନ୍ତି ଦୁର୍ବୃତ୍ତ । ବଳମ୍ବିତ ରାତିରେ ମନ୍ଦିରରେ ପଶି କଳାକନା ବୁଲାଇଦେଇଛନ୍ତି ।
ମନ୍ଦିର ପୂଜକଙ୍କର କହିବା ଅନୁସାରେ, ମାଆଙ୍କର ଆସ୍ଥାନ ପଛପଟେ ରୂପାରେ ତିଆରି ଛତା ସହିତ ଅନେକ ଅଳଙ୍କାର ରହିଥିଲା । ଏହାସହିତ ସୁନା ଅଳଙ୍କାର ମଧ୍ୟ ଆଭୂଷିତ କରାଯାଇଥିଲା । ଚୋର ସବୁକିଛି ଅଳଙ୍କାର ଚୋରି କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଅନେକ ଦିନ ହେବ ହୁଣ୍ଡି ନଖୋଲିବା କାରଣରୁ ଅନେକ ଟଙ୍କା ଗଚ୍ଛିତ ହୋଇ ରହିଥିଲା । ତେବେ କେଉଁ ସମୟରେ ଏତେ ବଡ ଧରଣର ଚୋରି ହେଲା ତାହା ଜଣାପଡିଲା ନାହିଁ । ଅନ୍ୟପଟେ କେହି ଜଣେ ସବୁ ଖବର ରଖି ଚୋରି କରିଥିବା ଜଣାପଡିଛି । ଖବରପାଇ ପୁରୁଷତ୍ତୋମପୁର ପୋଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।