କଟକ,୨୧ା୩: ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଶୁକ୍ରବାର ହାଇକୋର୍ଟ ଝଟକା ଦେଇଛନ୍ତି। ଝାରସୁଗୁଡା ବିଧାନସଭା ନିର୍ବାଚନୀ ମାମଲାରେ ବିଧାୟକଙ୍କ ବିରୋଧରେ ମାମଲା ଚାଲିବ ବୋଲି ନିର୍ବାଚନୀ ସମ୍ପର୍କିତ ମାମଲାର ଶୁଣାଣି କରି କୋର୍ଟ ସ୍ପଷ୍ଟ କରିଛନ୍ତି। ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ଟଙ୍କଧର ଯେଉଁ ଆବେଦନ କରିଥିଲେ, ତାହାକୁ କୋର୍ଟ ଆଜି ଖାରଜ କରି ଦେଇଛନ୍ତି।
ସେହିପରି ଟଙ୍କଧରଙ୍କ ବିରୋଧରେ ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ନେଇ ସତ୍ୟପାଠ ଦାଖଲ କରିବାକୁ ଦୀପାଳି ଦାସଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଲୁଚାଇବା ଅସାଧୁ ଉପାୟ ଅବଲମ୍ବନ ବୋଲି ହାଇକୋର୍ଟ ମତ ଦେଇଛନ୍ତି। ତେବେ ଏପ୍ରିଲ ୨୪ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନଧାର୍ଯ୍ୟ କରିଛନ୍ତି।
ବିଧାୟକ ଟଙ୍କଧରଙ୍କ ପକ୍ଷରୁ ଏକ ଅନ୍ତରୀଣ ଆବେଦନ ହାଇକୋର୍ଟଙ୍କ ପାଖରେ ଦାଖଲ କରାଯାଇଥିଲା। ଦୀପାଳିଙ୍କ ମୂଳ ମାମଲା ଖାରଜ କରିବାକୁ ଏହି ଆବେଦନ କରାଯାଇଥିଲା। ଏହି ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି ବିଧାୟକ ଆବେଦନରେ ଦର୍ଶାଇଥିଲେ।ତେବେ ଏହି ମାମଲାକୁ ବିଚାରକରି ହାଇକୋର୍ଟର ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ର ରାୟ ପ୍ରଦାନ କରିଛନ୍ତି।