fbpx

ବୈଷ୍ଣୋ ଦେବୀ ମନ୍ଦିର ଦଳାଚକଟାରେ ୧୩ ମୃତ, ଅନୁକମ୍ପା ସହାୟତା ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ: ମାତା ବୈଷ୍ଣୋ ଦେବୀ ଭବନରେ ଭକ୍ତ ମାନଙ୍କ ମଧ୍ୟରେ ଦୌଡ଼ାଦୌଡ଼ି ବେଳେ ଦଳାଚକଟା ହୋଇ ୧୩ ଜଣ ଶ୍ରଦ୍ଧାଳୁ ମୃତ୍ୟୁବରଣ କରିଛନ୍ତି । ବୈଷ୍ଣୋ ଦେବୀ ମନ୍ଦିରରେ ଦଳାଚକଟା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିବା ସହ ସମବେଦନା ଜଣାଇଛନ୍ତି । ଆହତଙ୍କ ଦ୍ରୁତ ଆଶୁ ଆରୋଗ୍ୟ କାମନା କରିବା ସହ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ଜମ୍ମ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଓ ଆହତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । ମନ୍ଦିର ବୋର୍ଡ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବ । ଘଟଣା ବାବଦରେ ସେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଜାମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଏହି ଅଘଟଣ ପରେ ମନ୍ଦିରରେ ଦର୍ଶନ ଓ ଯାତ୍ରା ବନ୍ଦ କରିଦିଆଯାଇଛି । ଏହାପରେ ଅନେକ ଶ୍ରଦ୍ଧାଳୁ ନିଜ ଘରକୁ ଫେରିଯାଇଛନ୍ତି । ଚଳିତ ଥର କରୋନା ମହାମାରୀର ପ୍ରକୋପ ଜାରି ରହିଥିବାରୁ ଭକ୍ତଙ୍କ ସଂଖ୍ୟା ସୀମିତ ରହିଛି । କୋଭିଡ୍ କଟକଣା ମଧ୍ୟରେ ଯାତ୍ରା ପାଇଁ ଅନୁମତି ଦେଇଛନ୍ତି ପ୍ରଶାସନ । ଏହି ଅଘଟଣରେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ଜମ୍ମୁ-କାଶ୍ମୀରର ଲୋକ ସାମିଲ ଥିବା ଜଣାପଡିଛି ।

Get real time updates directly on you device, subscribe now.