CAA ଉପରେ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ଏହି ଲୋକମାନେ ରହିପାରିବେ ଭାରତରେ
CAAକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ଏହି ଲୋକମାନେ ରହିପାରିବେ ଭାରତରେ
ନୂଆଦିଲ୍ଲୀ:ଗୃହ ମନ୍ତ୍ରାଳୟ ନାଗରିକତା ସଂଶୋଧନ ଅଧିନିୟମ(ସିଏଏ) ଅନୁଯାୟୀ, ଆବେଦନ କରିବା ପାଇଁ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ଅଣ-ମୁସଲିମମାନଙ୍କୁ ଭାରତକୁ ଆସିବାର କଟ୍-ଅଫ୍ ତାରିଖ ବଢାଇଦେଇଛି।
ବର୍ତ୍ତମାନ ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଭାରତରେ ଆସିଥିବା ଲୋକେ ଆବେଦନ କରିପାରିବେ। ପ୍ରଥମେ ସରକାର ଏଥିପାଇଁ ୩୧ ଡିସେମ୍ବର ୨୦୧୪ ବା ଏହା ପୂର୍ବରୁ ଭାରତକୁ ଆସିଥିବା ଅଣ ମୁସଲିମ ସଂଖ୍ୟାଲଘୁଙ୍କୁ ନାଗରିକତା ଦେବା କଥା କହିଥିଲେ। ଏଥିରେ ବର୍ତ୍ତମାନ ସିଧାସଳଖ ୧୦ ବର୍ଷ ବୃଦ୍ଧି କରାଯାଇଛି।
ଏହି ନିର୍ଦ୍ଦେଶ ଇମିଗ୍ରେସନ ଆଣ୍ଡ ଫରେନର୍ସ ଆକ୍ଟ ୨୦୨୫ ଅନୁଯାୟୀ, ଜାରି କରାଯାଇଛି। ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶରେ କୁହାଯାଇଛି ଯେ, ଏଭଳି ଲୋକେ, ଯିଏ ଧାର୍ମିକ ନିର୍ଯାତନା ବା ଏହାର ଭୟରେ ଭାରତ ଆସିଛନ୍ତି ଏବଂ ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଦେଶକୁ ଆସିଛନ୍ତି, ସେମାନଙ୍କୁ ପାସପୋର୍ଟ ଏବଂ ଭିସା ରଖିବାର ନିୟମରେ ଆଶ୍ୱସ୍ତି ଦିଆଯିବ।
ସରକାରଙ୍କ ଏହି ନିଷ୍ପତ୍ତିରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରେ ଭାରତ ଆସିଥିବା ଅଣ-ମୁସଲିମ ସମୁଦାୟର ହଜାର ହଜାର ଲୋକଙ୍କୁ ଆଶ୍ୱସ୍ତି ମିଳିବାକୁ ଯାଉଛି। ସରକାର ସିଏଏ ଅନୁଯାୟୀ, ୨୦୧୪ ପୂର୍ବରୁ ଭାରତ ଆସିଥିବା ଲୋକଙ୍କୁ ଆଶ୍ୱସ୍ତି ଦେଇଥିଲେ।
ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏହି ଆଶ୍ୱସ୍ତି ପାଇଁ ଅନେକ ସର୍ତ୍ତ ମଧ୍ୟ ରଖାଯାଇଛି। ଆତଙ୍କବାଦ, ଗୁପ୍ତଚର, ବଳାତ୍କାର, ହତ୍ୟା କିମ୍ବା ମାନବ ଚାଲାଣ ଭଳି ଗମ୍ଭୀର ଅପରାଧରେ ଦୋଷୀ ସାବ୍ୟସ୍ତ ବିଦେଶୀମାନେ ଏହାର ସୁଯୋଗ ପାଇବେ ନାହିଁ। ଏଥିସହ, ନିଶାଦ୍ରବ୍ୟ ଚାଲାଣ, ଶିଶୁ ନିର୍ଯାତନା, ସାଇବର ଅପରାଧ ଏବଂ କ୍ରିପ୍ଟୋକରେନ୍ସି ବ୍ୟବସାୟରେ ଜଡିତ ବ୍ୟକ୍ତିମାନଙ୍କୁ ମଧ୍ୟ ଏଥିରୁ ବାଦ ଦିଆଯାଇଛି।