ଇରାନ୍ ରାଷ୍ଟ୍ରପତିଙ୍କୁ ଭାରତ ଆସିବା ପାଇଁ ଆମନ୍ତ୍ରଣ କଲେ ମୋଦୀ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କରିଥିଲେ ଦ୍ୱିପାକ୍ଷିକ ଆଲୋଚନା

କଜାନ: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଜାନରେ ଶିଖର ସମ୍ମିଳନୀରେ ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନ୍‌ଙ୍କୁ ଭେଟିଥିଲେ । ଦୁଇ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଇରାନ୍ ଏବଂ ଇସରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ତିକ୍ତତା ପଶ୍ଚିମ ଏସିଆରେ ଶାନ୍ତିର ଆବଶ୍ୟକତା ଏବଂ ସମସ୍ତ ଦଳ ସହ ସୁସମ୍ପର୍କ ଯୋଗୁଁ ସଂଘର୍ଷକୁ ହ୍ରାସ କରିବାରେ ଭାରତର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ଇରାନ୍ ରାଷ୍ଟ୍ରପତି ।

ଚଳିତ ବର୍ଷ ଜୁଲାଇରେ ନିର୍ବାଚନ ଜିତିଲା ପରେ ରାଷ୍ଟ୍ରପତି ହୋଇଥିବା ପେଜେଶକିଆନ୍ ଏବଂ ମୋଦୀଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ । ବିଦେଶ ମନ୍ତ୍ରଣାଳୟ ଏକ ବୟାନରେ କହିଛନ୍ତି କି ଏହି ବେଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଆସିବା ପାଇଁ ପେଜେଶକିଆନଙ୍କୁ ଆମନ୍ତ୍ରିତ କରିଥିଲେ । ତେବେ ମୋଦୀଙ୍କ ଏହି ଆମନ୍ତ୍ରଣକୁ ସ୍ୱୀକାର କରିଥିଲେ ପେଜେଶକିଆନ୍ । ଦୁଇ ନେତା ଚାବାହାର ବନ୍ଦର ଏବଂ INSTC କ୍ଷେତ୍ରରେ ସହଯୋଗକୁ ମଜବୁତ କରିବା ପାଇଁ, ଅଫଗାନିସ୍ତାନରେ ସ୍ଥିରତା, ଏବଂ ଅନ୍ୟ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଅପରପକ୍ଷରେ ଇରାନର ୯ମ ରାଷ୍ଟ୍ରପତି ଭାବରେ ପେଜେଶକିଆନ୍ ନିର୍ବାଚିତ ହୋଇଥିବାରୁ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Get real time updates directly on you device, subscribe now.