fbpx

ମୋଦୀଙ୍କ ଜନ୍ମଦିନରେ ଲଞ୍ଚ ହେବ ‘ବିଶ୍ୱକର୍ମା ଯୋଜନା’: ସେପ୍ଟେମ୍ବର ୧୭ରେ ଗରିବଙ୍କୁ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପଡ଼ୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାଜର ତଳସ୍ତରର ଶ୍ରମିକଙ୍କ କଲ୍ୟାଣ ପାଇଁ ‘ବିଶ୍ୱକର୍ମା ଯୋଜନା’ର ଶୁଭାରମ୍ଭ କରିବେ । ଗତ ଅଗଷ୍ଟ ୧୫ ତାରିଖରେ ସ୍ୱାଧିନତା ଦିବସ ଅବସରରେ ମୋଦୀ ଲାଲକିଲ୍ଲାରେ ନିଜର ଭାଷଣରେ ଏହି ଯୋଜନାର ଘୋଷଣା କରିଥିଲେ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ କରାଯିବ ।

‘ବିଶ୍ୱକର୍ମ ଯୋଜାନା’ର ଶୁଭାରମ୍ଭ ଅବସରରେ ୭୦ଟି ସ୍ଥାନରେ ୭୦ ଜଣ ମନ୍ତ୍ରୀ ଉପସ୍ଥିତ ରହିବେ । ଏହି ଯୋଜନାରେ ଆଗାମୀ ୫ ବର୍ଷ ମଧ୍ୟରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ଯୋଜନା ସମାଜର ତଳ ସ୍ତରର କାରିଗରଙ୍କ କଲ୍ୟାଣ ପାଇଁ ଲାଗୁ କରାଯାଇଛି । ଏହି ଯୋଜନାରେ ମୋଚୀ, ଧୋବା, ବଢ଼ାଇଙ୍କୁ ପ୍ରଥମ ପର୍ଯ୍ୟାୟରେ ୫ ପ୍ରତିଶତ ସୁଧରେ ୧ ଲକ୍ଷ ଟଙ୍କା ଓ ଦ୍ୱିତୀୟ ପର୍ଯ୍ୟାୟରେ ଦୁଇ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ ।

ଏଥିସହିତ ପିଏମ୍ ବିଶ୍ୱକର୍ମା ଯୋଜନାରେ ଶିଳ୍ପୀ ଓ କାରିଗରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ପ୍ରଶିକ୍ଷଣ ନେଉଥିବା ଲୋକଙ୍କୁ ପ୍ରତିଦିନ ୫୦୦ ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ । ବିଭିନ୍ନ ପ୍ରକାରର କାର୍ଯ୍ୟ ସହ ଜଡ଼ିତ ଥିବା ୧୮ ପ୍ରକାରର ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଏହି ଯୋଜନା ବେଶ୍ ମହତ୍ତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି । ସେପ୍ଟେମ୍ବର ୧୭ରେ ଦିଲ୍ଲୀରେ ପିଏମ୍ ମୋଦୀ, ଅହମ୍ମଦାବାଦରେ ଅମିତ ଶାହ, ଲକ୍ଷ୍ନୌରେ ରାଜନାଥ ସିଂହ, ବାରାଣାସୀରେ ମହେନ୍ଦ୍ର ନାଥ ପାଣ୍ଡେ, ଝାନସୀରେ ସ୍ମୃତି ଇରାନୀ, ଚେନ୍ନାଇରେ ଗଜେନ୍ଦ୍ର ଶେଖାୱତ, ଜୟପୁରରେ ଭୂପେନ୍ଦ୍ର ଯାଦବ ଓ ନରେନ୍ଦ୍ର ସିଂହ ତୋମାର ଉପସ୍ଥିତ ରହିବେ । ଅନ୍ୟ ମନ୍ତ୍ରୀମାନଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ପତାକା ଦେଖାଇବାକୁ କୁହାଯାଇଛି ।

Get real time updates directly on you device, subscribe now.