ନବୀନଙ୍କୁ ମୋହନଙ୍କ ନିମନ୍ତ୍ରଣ, କହିଲେ ଆସନ୍ତାକାଲି ବିଜୁବାବୁଙ୍କ ଜନ୍ମଦିନ…

ଭୁବନେଶ୍ୱର,୪ା୩: ଆସନ୍ତକାଲି ଅର୍ଥାତ୍ ମାର୍ଚ୍ଚ ୫ରେ ପାଳନ ହେବ ଓଡ଼ିଶାର ବରପୁତ୍ର ବିଜୁବାବୁଙ୍କ ଜନ୍ମଦିନ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିମନ୍ତ୍ରଣ ଜଣାଇଛନ୍ତି । ଏହି ମହାନ ସମାରୋହରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେବାକୁ ମୋହନ ନବୀନଙ୍କୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ଚଠି ଲେଖିଛନ୍ତି ମୋହନ ।

ଚିଠିରେ ମୋହନ ଲେଖିଛନ୍ତି, ଆପଣଙ୍କୁ ମୋର ସାଦର ନମସ୍କାର । ଆସନ୍ତା ମାର୍ଚ୍ଚ ୫ ତାରିଖରେ ରାଜ୍ୟ ସରକାର ଓଡ଼ିଶାର ମହାନ ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରୁଛନ୍ତି । ଏଥିପାଇଁ ସ୍ଥାନୀୟ ଜୟଦେବ ଭବନଠାରେ ୫ ତାରିଖ ସନ୍ଧ୍ୟା ୭ଟା ସମୟରେ ଏକ ରାଜ୍ୟସ୍ତରୀୟ ସଭାର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଆପଣଙ୍କର ଗରମାମୟ ଉପସ୍ଥିତି ଏହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିବ ।

ତେବେ ବର୍ତ୍ତମାନ ସୁଦ୍ଧା ନବୀନଙ୍କ ପ୍ରତିକି୍ରୟା ଆସିନାହିଁ । ନବୀନ ଆସନ୍ତାକାଲି ବିଜୁବାବୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସୂଚନାଯୋଗ୍ୟ, ସରକାର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପାଳନ ହେଉଥିବା ପଞ୍ଚାୟତିରାଜ ଦିବସ ପାଳନର ତାରିଖ ପରିବର୍ତ୍ତ ନ କରିଛନ୍ତି । ଏହା ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ ୨୪ରେ ପାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।