ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ ଅଧିକ ନିଯୁକ୍ତି ମିଳିବ । ଏହାର କାରଣ ହେଉଛି ଚାକିରି ସମ୍ବନ୍ଧରେ କମ୍ପାନୀଗୁଡିକର ସକରାତ୍ମକ ମନୋଭାବ ରହିଛି । ଦେଶର ଅର୍ଥ ବ୍ୟବସ୍ଥାର ବୃଦ୍ଧି ମାର୍ଗରେ ବଢ଼ୁଥିବା ବେଳେ ଆର୍ଥିକ ବର୍ଷରେ ନିଯୁକ୍ତି କ୍ରମାଗତ ଚାଲିଛି ଓ ଭାରତୀୟ କମ୍ପାନୀଗୁଡ଼ିକର ନୂଆ ନିଯୁକ୍ତିକୁ ନେଇ ସକରାତ୍ମକ ମନୋଭାବ ରହିଛି । ଶନିବାର ଦିନ ଜାରି ହୋଇଥିବା ଏକ ରିପୋର୍ଟରେ ଏହା କୁହାଯାଇଛି ।
ଏହି ସର୍ଭେରେ ସାମିଲ ହୋଇଥିବା ଅତିକମରେ ୭୨ ପ୍ରତିଶତ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଚଳିତ ଆର୍ଥିକ ବର୍ଷରେ ନୂତନ ପଦବୀରେ ଅଧିକ ନିଯୁକ୍ତି କରାଯିବ । ଜିନିୟସ୍ କନସଲଟାଣ୍ଟସଙ୍କ The Hiring, Attrition and Compensation Trends Report 2022-23’ରେ କୁହାଯାଇଛି ଯେ, ୭୨% କମ୍ପାନୀ ନୂତନ ପଦବୀରେ ନିଯୁକ୍ତି ପାଇବେ ବୋଲି କହିଛନ୍ତି । ଏଥି ସହିତ ୧୮ ପ୍ରତିଶତ କମ୍ପାନୀର କହିବା ମୁତାବକ, ବର୍ତ୍ତମାନ ପଦବୀରେ ଥିବା କର୍ମଚାରୀଙ୍କ ସ୍ଥାନରେ ନୂଆ କର୍ମଚାରୀ ନିଯୁକ୍ତି କରାଯିବ ।
ରିପୋର୍ଟରେ କୁହାଯାଇଛି ଯେ, କମ୍ପାନୀଗୁଡିକ ସେମାନଙ୍କର କାର୍ଯ୍ୟବଳକୁ ମଜବୁତ କରିବା ପାଇଁ ଆଭ୍ୟନ୍ତରୀଣ ସମୀକ୍ଷା କରୁଛନ୍ତି । ସର୍ଭେରେ ସାମିଲ ପ୍ରାୟ ୪୦ ପ୍ରତିଶତ କମ୍ପାନୀର କହିବା ମୁତାବକ, ସେମାନେ କର୍ମଚାରୀଙ୍କ ସଂଖ୍ୟା ୧୦ ରୁ ୧୫ ପ୍ରତିଶତ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ୩୦ ପ୍ରତିଶତ ଲୋକଙ୍କ କହିବାନୁସାରେ, ଅତି କମରେ ୧୦ ପ୍ରତିଶତ ନୂଆ କର୍ମଚାରୀ ନିଯୁକ୍ତି ପାଇବେ ।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଅଧିକାଂଶ ନିଯୁକ୍ତିଦାତା ଏବଂ କର୍ମଚାରୀ ନଆ ହାଇବ୍ରିଡ୍ ୱାର୍କିଂ ମଡେଲ୍ ଗ୍ରହଣ କରିଥିବାରୁ ‘ୱାର୍କ ଫ୍ରମ୍ ହୋମ୍’ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ୩୩ ପ୍ରତିଶତରୁ ଅଧିକ କମ୍ପାନୀ କହିଛନ୍ତି ଯେ ‘ୱାର୍କ ଫ୍ରମ୍ ହୋମ୍’ ବର୍ତ୍ତମାନ ସଂଗଠନର ଏକ ଅଂଶ ହୋଇଛି ଏବଂ ୨୦% ରୁ ଅଧିକ କର୍ମଚାରୀ ଦୂରଦୂରାନ୍ତରେ ରହି କାମ କରୁଛନ୍ତି ।