fbpx

ଓଡ଼ିଆ ସମେତ ଅନ୍ୟ ୧୫ଟି ଭାଷାରେ ଶିକ୍ଷାଦାନ ନିମନ୍ତେ ୩ ଲକ୍ଷରୁ ଅଧିକ ଶିକ୍ଷକ ଆବଶ୍ୟକ; ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଓଡ଼ିଶାରେ ମାତୃଭାଷା ସମେତ ବିଭିନ୍ନ ଭାଷାରେ ଶିକ୍ଷାଦାନ ଲାଗି ୩ ଲକ୍ଷ ୩୧ ହଜାର ୩୩୬ ଜଣ ଭାଷା ଶିକ୍ଷକଙ୍କ ଆବଶ୍ୟକ ରହିଥିବା କେନ୍ଦ୍ରଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଜି ଲୋକସଭାରେ କହିଛନ୍ତି। ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀମତୀ ଦେବୀ କହିଛନ୍ତି, ତ୍ରି-ଭାଷା ଶିକ୍ଷଣ ଲାଗି ସାର୍ଥକ ଯୋଜନାରେ ବିଭିନ୍ନ ରାଜ୍ୟ ମଧ୍ୟରେ ଏ ନେଇ ବୁଝାମଣା ଭିତ୍ତିରେ ଶିକ୍ଷକ ନିଯୁକ୍ତି ଲାଗି ନୂଆ ଶିକ୍ଷାନୀତିରେ ବ୍ୟବସ୍ଥା ରହିଛି।

ଓଡ଼ିଶାରେ ଓଡ଼ିଆ ସମେତ ଅନ୍ୟ ୧୫ଟି ଭାଷାରେ ଶିକ୍ଷାଦାନ ଲାଗି ଶିକ୍ଷକ ଆବଶ୍ୟକ ରହିଥିବା ସେ କହିଛନ୍ତି। ବିଶେଷ କରି ୟୁ-ଡାଇସ୍‍ ତଥ୍ୟ ଅନୁଯାୟୀ ଓଡ଼ିଆ ଓ ଇଂରାଜୀ ବ୍ୟତୀତ ହିନ୍ଦୀ, ନେପାଳୀ, ସଂସ୍କୃତ, ତେଲୁଗୁ ଏବଂ ଊର୍ଦ୍ଧ୍ୱ ମାଧ୍ୟମରେ ଶିକ୍ଷାଦାନ ଲାଗି ଶିକ୍ଷକ ଆବଶ୍ୟକତା ରହିଥିବା ସେ କହିଛନ୍ତି।

ସେହିପରି ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା ଦେଶର ୭୪୦ଟି ବ୍ଲକରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନ ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଆଜି ଲୋକସଭାରେ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂହ ସାରୁତା ଏହା କହିଛନ୍ତି । ସେ କହିଛନ୍ତି, ୨୦୧୧ ଜନଗଣନା ଅନୁଯାୟୀ ଯେଉଁ ବ୍ଲକରେ ୫୦ ପ୍ରତିଶତରୁ ଅଧିକ ତଫସିଲଭୁକ୍ତ ଉପଜାତି କିମ୍ବା ୨୦ ହଜାର ଜନଜାତି ରହୁଥିବେ ସେଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନ କରାଯିବ ।

ଓଡ଼ିଶାର ୧୧୪ଟି ବ୍ଲକ ଏଥିପାଇଁ ଚିହ୍ନଟ କରାଯାଇଥିବାବେଳେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ୧୦୪ଟି ଏହିଭଳି ବିଦ୍ୟାଳୟ ଖୋଲିବା ଲାଗି ଅର୍ଥ ମଞ୍ଜୁର କରିସାରିଛି । କନ୍ଧମାଳ ଜିଲ୍ଲାର ୮ଟି ଏକଲବ୍ୟ ବିଦ୍ୟାଳୟ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆବଶ୍ୟକ ସ୍ଥଳେ ଗୋଟିଏ ବ୍ଲକରେ ୧ରୁ ଅଧିକ ଏକଲବ୍ୟ ବିଦ୍ୟାଳୟ ସ୍ଥାପନ କରାଯାଇପାରିବ । ତେବେ ସୂଚନା ଅନୁଯାୟୀ ରାଜ୍ୟରେ ଥିବା ୧୦୪ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଧ୍ୟରୁ ଏବେ ୩୨ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.