fbpx

ଦେଶ ପାଇଁ ଚିନ୍ତାର କାରଣ ପାଲଟିଲେ ୬ ରାଜ୍ୟ, ସଂକ୍ରମଣ କମିଲେ ବି ଥମୁନି ମୃତ୍ୟୁ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରର ପ୍ରକୋପରେ କିଛିଟା ବ୍ରେକ୍ ଲାଗିଛି । ସଂକ୍ରମଣହାର କମିବାରେ ଲାଗିଛି । ତଥାପି ଛଅ ରାଜ୍ୟ ଏବେ ମଧ୍ୟ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ଗତ କିଛି ଦିନ ହେବ ନୂତନ ସଂକ୍ରମିତ ସଂଖ୍ୟା ହ୍ରାସ ଘଟିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ପୂର୍ବବତ ଜାରି ରହିଛି । ଏହା ସରକାର ଏବଂ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ଉତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ହିଁ ଦେଶର ୭୦ ପ୍ରତିଶତ ମୃତ୍ୟୁ ରେକର୍ଡ କରାଯାଇଛି ।

ଦେଶରେ ବୁଧବାର ୩୨୦୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରୁ ସର୍ବାଧିକ ମୃତକ ସଂଖ୍ୟା ମହାରାଷ୍ଟ୍ରରେ ରହିଛି । ୩୨୦୭ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ୮୫୪, ତାମିଲନାଡୁରୁ ୪୯୦, କର୍ଣ୍ଣାଟକରୁ ୪୬୪, କେରଳରୁ ୧୯୪, ଉତର ପ୍ରଦେଶରୁ ୧୭୫, ପଶ୍ଚିମବଙ୍ଗରୁ ୧୩୭ ଏବଂ ଆନ୍ଧ୍ର ପ୍ରଦେଶରୁ ୧୦୪ ଜଣ ସାମିଲ । କିନ୍ତୁ ୩୬ ଦିନ ପରେ ବୁଧବାର ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା କମ ରହିଛି । ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩,୩୫, ୧୦୨ରେ ପହଂଚିଛି ।

କରୋନାରେ ସବୁଠୁ ଅଧିକ ମୃତ୍ୟୁ ମାମଲା ମହାରାଷ୍ଟ୍ରରେ ରହିଛି । ଦେଶର ମୋଟ୍ ୩,୩୫, ୧୦୨ ମୃତକ ମଧ୍ୟରୁ ମହାରାଷ୍ଟ୍ରରେ ୯୬,୧୯୮ ଜନଙ୍କ କରୋନାରେ ପ୍ରାଣହାନୀ ଘଟିଛି । ସେହି ପରି କର୍ଣ୍ଣାଟକରେ ୨୯,୫୫୪, ତାମିଲନାଡୁରେ ୨୪, ୭୨୨, ଦିଲ୍ଲୀରେ ୨୪, ୨୯୯, ଉତର ପ୍ରଦେଶରେ ୨୦,୬୭୨, ପଶ୍ଚିମବଙ୍ଗରେ ୧୫, ୬୭୮, ପଞ୍ଜାବରେ ୧୪,୬୪୯ ଏବଂ ଛତିଶଗଡରେ ୧୩,୦୭୭ରେ ସଂକ୍ରମଣରେ ମୃତ୍ୟୁ ଘଟିଛି ।

ଆଜି ଦେଶରେ କୋଭିଡ୍‌-୧୯ର ୧,୩୨,୭୮୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୩ ଲକ୍ଷ ୭ ହଜାର ୮୩୨ରେ ପହଂଚିଛି । ଏଥିସହ ଦୈନିକ ସଂକ୍ରମଣ ହାର ୬.୫୭କୁ ହ୍ରାସ ଘଟିଛି । କ୍ରମାଗତ ଦ୍ୱିତୀୟ ଦିନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୦ ଲକ୍ଷରୁ କମ ରହିଛି । ଆଶ୍ୱସ୍ତିକର କଥା କ୍ରମାଗତ ନବମ ଦିନରେ ସଂକ୍ରମଣହାର ୧୦ ପ୍ରତିଶତରୁ କମ ରହିଛି । ସଂକ୍ରମଣର ସାପ୍ତାହିକ ହାର ତଳକୁ ଖସି ୮.୨୧ ପ୍ରତିଶତ ରହିଛି ।

Get real time updates directly on you device, subscribe now.