fbpx

ମର୍ଣ୍ଣିଂ କନସଲ୍ଟ ରେଟିଂ: ବିଶ୍ୱର ଲୋକପ୍ରିୟ ନେତାଙ୍କ ମଧ୍ୟରେ ପୁଣି ମୋଦୀ ନମ୍ବର ୱାନ୍, ଜାଣନ୍ତୁ ଦ୍ୱିତୀୟରେ ରହିଛି କିଏ …

ନୂଆଦିଲ୍ଲୀ: ପୁଣି ବିଶ୍ୱରେ ସବୁଠାରୁ ଲୋକପ୍ରିୟ ନେତା ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯେଉଁଥିରେ ସେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଭଳି ବହୁ ବଡ଼ ବଡ଼ ରାଷ୍ଟ୍ରନେତାଙ୍କୁ ପଛରେ ପକାଇଛନ୍ତି। ତେବେ ମର୍ନିଂ କନସଲ୍ଟର ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂ ଟ୍ରାକରେ ଏଭଳି କିଛି ରେକର୍ଡ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ। ସେ ବିଶ୍ୱର ୨୨ଲୋକପ୍ରିୟ ନେତାଙ୍କ ମଧ୍ୟରେ ୭୬ ପ୍ରତିଶତ ଅନୁମୋଦନ ସହିତ ତାଲିକାର ଶୀର୍ଷରେ ରହିଛନ୍ତି।

ସୂଚନା ଅନୁଯାୟୀ, ଏହି ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମାଲୋନିଙ୍କ ନାମ ମଧ୍ୟ ରହିଛି। ହେଲେ ମୋଦୀଙ୍କ ପରେ ଦ୍ୱିତୀୟ ଲୋକପ୍ରିୟ ନେତା ଭାବେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋରଙ୍କ ନାମ ରେକର୍ଡ ହୋଇଛି। ମର୍ନିଂ କନସଲ୍ଟ ପକ୍ଷରୁ ହୋଇଥିବା ମୂଲ୍ୟାୟନରେ ତାଙ୍କୁ ୬୬ ପ୍ରତିଶତ ମାର୍କ ମିଳିଥିବା ଦେଖିବାକୁ ମିଳିଛି। ସେହିପରି ସ୍ଵିଜରଲ୍ୟାଣ୍ଡର ରାଷ୍ଟ୍ରପତି ଆଲେନ ବୁର୍ସେଟ ମୂଲ୍ୟାୟନରେ ୫୮ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପଟେ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଦା ସିଲଭା ଚତୁର୍ଥ ସ୍ଥାନରେ ୪୯ ପ୍ରତିଶତ ରେଟିଂ ପାଇଛନ୍ତି। ସେପଟେ ୪୭ ପ୍ରତିଶତ ସହ ପଞ୍ଚମ ସ୍ଥାନରେ ସ୍ଥାନ ନେଇଛନ୍ତି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ।

ସେହିପରି ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ୪୧ ପ୍ରତିଶତ ସହ ଷଷ୍ଠ ସ୍ଥାନରେ ରହିଛନ୍ତି। ବେଲଜିୟମ ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର୍‌ ଡି କ୍ରୋ ୩୭ ପ୍ରତିଶତ ରେଟିଂ ପାଇ ସପ୍ତମ ସ୍ଥାନ ଗ୍ରହଣ କରିଛନ୍ତି। ଅଷ୍ଟମ ସ୍ଥାନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ୯ ସ୍ଥାନରେ ସ୍ପେନର ପେଡ୍ରୋ ସାଞ୍ଚେଜ ରହିଛନ୍ତି। ତେବେ ଏହି ରେଟିଂ ଟ୍ରାକରେ, ଇଂରେଜ ପ୍ରଧାନମନ୍ତ୍ରୀ ଲିଓ ଭାରାଡକର ୩୬ ପ୍ରତିଶତ ପାଇ ଦଶମ ସ୍ଥାନରେ ରହିଥିବା ଦେଖିବାକୁ ମିଳୁଛି। ଭାରାଡକରଙ୍କ ପରେ ସ୍ଵିଡେନର ଉଲଫ କ୍ରିଷ୍ଟର୍ସନ ଏବଂ ତାଙ୍କ ପରେ ପୋଲାଣ୍ଡର ମାର୍କିଙ୍କିଭିକ ସ୍ଥାନ ନେଇଛନ୍ତି।୧୩ତମ ସ୍ଥାନରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ୩୧ ପ୍ରତିଶତ ରେଟିଂ ପାଇଛନ୍ତି। ଏହା ବ୍ୟତୀତ ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ୧୭ ନମ୍ବରରେ ରହି ୨୫ ପ୍ରତିଶତ ରେଟିଂ ପାଇଛନ୍ତି।

Get real time updates directly on you device, subscribe now.