fbpx

ମରକ୍କୋ ଭୂମିକମ୍ପ: ୨୦୦୦ ଟପିଲା ମୃତ୍ୟୁସଂଖ୍ୟା, ୨୦୫୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଶୁକ୍ରବାର ବିଳମ୍ବିତ ରାତିରେ ମରକ୍କୋରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ୬.୮ ରିକ୍ଟର ସ୍କେଲରେ ମପାଯାଇଛି । ମରକ୍କୋର ଗୃହମନ୍ତ୍ରୀ କହିଛନ୍ତି ଯେ, ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୨୦୧୨କୁ ପାର କରିଛି । ଏଠାରେ ୨୦୫୯ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି ଏବଂ ମରକ୍କୋ ପାଇଁ ସମ୍ଭାବ୍ୟ ସାହାଯ୍ୟ ନିଶ୍ଚିତ କରିଛନ୍ତି ।

ମରକ୍କୋ ଭୂମିକମ୍ପ ଆରମ୍ଭରେ ମୃତ୍ୟୁସଂଖ୍ୟା ୬୩୨ ବୋଲି କୁହାଯାଉଥିଲା । ହେଲେ ପରେ ଏହି ସଂଖ୍ୟା ବଢିବାରେ ଲାଗିଛି । ଅଲ-ହାଉସ ଏବଂ ତାରୁଣ୍ଡାଟ ଅଞ୍ଚଳରେ ମୃତକ ସଂଖ୍ୟା ଅଧିକ ବୋଲି ଜଣାପଡିଛି । ଏହା ବ୍ୟତୀତ ମରକ୍କୋର ଉଆରଜଜାତେ, ଚିଚାଉଆ, ଅଜିଲାଲ ଏବଂ ୟୁସୁଫିୟା, ଏରକ୍କେଶ, ଅଗାଦୀର ଏବଂ କୈସାବ୍ଲାଂକା ଅଞ୍ଚଳରେ ମଧ୍ୟ ମୃତକଙ୍କୁ ଉଦ୍ଧାର କରାଯାଇଛି । ଏହି ସ୍ଥାନରେ ଆହତ ସଂଖ୍ୟା ୩୨୯ ପାର କରିଛି, ଏଥିସହ ୫୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଭୂମିକମ୍ପରେ ମୃତ ସଂଖ୍ୟା ବର୍ତ୍ତମାନ ଅଧିକ ବଢିଯାଇଛି । ଭୂମିକମ୍ପର ସୂଚନା ରଖୁଥିବା ମରକ୍କୋର ସଂସ୍ଥା ଭୂମିକମ୍ପର ତୀବ୍ରତା ସାତ ରୁ ଅଧିକ ପାର କରିଛି ବୋଲି କହିଛି । ଆମେରିକୀୟ ଜିଓଲୋଜିକାଲ ସର୍ଭେ ମୁତାବକ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୧୮.୫ କିଲୋମିଟର ଗଭୀରତାରେ, ପର୍ଯ୍ୟଟନ ସହର ମାରାକେଶର ୭୧ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା। ସ୍ଥାନୀୟ ସମୟ ରାତି ପ୍ରାୟ ୧୧.୧୧ ସମୟରେ ଏଠାରେ କମ୍ପନ ଅନୁଭୂତ ହୋଇଥିଲା। କିଛି ସମୟ ପରେ, ଏହି ସ୍ଥାନଗୁଡିକରେ ଭୂମିକମ୍ପର ପ୍ରଭାବ ମଧ୍ୟ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୪.୯ରେ ମାପ କରାଯାଇଥିଲା।

Get real time updates directly on you device, subscribe now.