fbpx

ଓଡ଼ିଶାର ଅଧିକାଂଶ ନଦୀର ଜଳ ବିଷ: ରିପୋର୍ଟ ଦାଖଲ କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନଦୀର ଜଳକୁ ନେଇ ଏକ ଭୟଙ୍କର ରିପୋର୍ଟ ସାମ୍ନାକୁ ଆସିଛି । ରାଜ୍ୟର ଅଧିକାଂଶ ନଦୀର ଜଳ ଏବେ ବିଷ ପାଲଟି ଯାଇଛି । ଭୁବନେଶ୍ୱର, କଟକର ଅଧିକାଂଶ ନଦୀର ଜଳର ପ୍ରଦୂଷଣକୁ ନେଇ ବଢ଼ିଯାଇଛି ଚିନ୍ତା । କେନ୍ଦ୍ରୀୟ ପ୍ରଦୂଷର ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି)ଙ୍କ ନିକଟରେ ଏଭଳି ରିପୋର୍ଟ ଦାଖଲ କରାଯାଇଛି ।

ଏକ ମାମଲାର ଶୁଣାଣି କରିବା ଅବସରରେ ଏନଜିଟି ପକ୍ଷରୁ ଓଡ଼ିଶାର ବିଭିନ୍ନ ନଦୀର ଜଳର ସ୍ଥିତି କିପରି ରହିଛି ତାହାର ରିପୋର୍ଟ ମଗାଯାଇଥିଲା । ଏନେଇ ସିପିସିବି ପକ୍ଷରୁ ବିସ୍ତୃତ ରିପୋର୍ଟ ଦାଖଲ କରାଯାଇଥିଲା । କେଉଁ ନଦୀ ଜଳ କେତେ ମାତ୍ରାରେ ପ୍ରଦୂଷିତ ତାହା ଏହି ରିପୋର୍ଟରେ ଦର୍ଶାଯାଇଛି । ଭୁବନେଶ୍ୱରର ଗଙ୍ଗୁଆ ନଦୀ ସବୁଠାରୁ ଅଧିକ ପ୍ରଦୂଷିତ ଥିବା କୁହାଯାଉଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ପାର୍ବଣ ଋତୁ ପୂର୍ବରୁ ଏହି ରିପୋର୍ଟ ଦାଖଲ କରାଯାଇଥିଲା । ମାତ୍ର ପାର୍ବଣ ପରେ ନଦୀର ଜଳର ଅବସ୍ଥା କିପରି ରହିଥିବ ତାହା ଆହୁରି ଅଧିକ ଚିନ୍ତା ବଢ଼ାଇ ଦେଇଛି । ସାଧାରଣ ଭାବେ ଯଦି ଗୋଟିଏ ଲିଟର ପାଣିରେ ବାୟୋକେମିକାଲ ଅକ୍ସିଜେନ୍ ଡିମାଣ୍ଡ (ବିଓଡି)ର ପରିମାଣ ୩ ମିଲିଗ୍ରାମରୁ ଅଧିକ ରୁହେ ତାହାକୁ ପ୍ରଦୂଷିତ ବୋଲି ଧରାଯାଇଥାଏ । ମାତ୍ର ଗଙ୍ଗୁଆ ନଦୀର ଜଳରେ ବିଓଡିର ପରିମାଣ ୧୯.୯ ମିଲିଗ୍ରାମ ରହିଛି ।

ନଦୀ ଜଳରେ ବିଓଡିର ପରିମାଣ ବୃଦ୍ଧି ପାଇଲେ ତାହା ମଣିଷ ସହ ପଶୁପକ୍ଷୀଙ୍କ ବ୍ୟବହାର ଯୋଗ୍ୟ ନୁହେଁ । ବିଭିନ୍ନ ପୌରାଞ୍ଚଳ ଓ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠାନରରୁ ନିର୍ଗତ ବର୍ଜ୍ୟ ଜଳକୁ ନଦୀରେ ଛଡ଼ାଯାଉ ଥିବାରୁ ଏଭଳି ସ୍ଥିତି ଉପୁଜିଛି । ପାର୍ବଣ ପୂର୍ବରୁ ନଦୀର ଜଳ ପ୍ରଦୂଷିତ ହୋଇଥିବା ବେଳେ ପାର୍ବଣ ପରେ ତାହାର ଅବସ୍ଥା ସଙ୍ଗୀତ ହେବା ସ୍ୱାଭାବିକ ବୋଲି ପରିବେଶବିତମାନେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.