ନୂଆଦିଲ୍ଲୀ: ପାଣି ପିଇବା ସ୍ୱାସ୍ଥ୍ୟ ଲାଗି ବେଶ୍ ଲାଭଦାୟକ ହୋଇଥାଏ । ପାଣି ପିଇବା ଦ୍ୱାରା ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ସହଜରେ ବାହାରକୁ ଆସିଯାଇଥାଏ । ଜଣେ ବ୍ୟକ୍ତି ଦିନକୁ ୨ରୁ ୩ ଲିଟର ପର୍ଯ୍ୟନ୍ତ ପାଣି ନିଶ୍ଚୟ ପିଇବା ଉଚିତ । କିନ୍ତୁ ବହୁ ସମୟରେ ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଆପଣଙ୍କ ଲାଗି ବିପଜ୍ଜନକ ସାବ୍ୟସ୍ତ ହୋଇପାରେ । ଜଣେ ମହିଳାଙ୍କ ସହ ଏହିପରି କିଛି ଘଟିଛି । ଏଶ୍ଳେ ସମର୍ସ ନାମକ ଆମେରିକାର ଏହି ମହିଳାଙ୍କର ଅଚାନକ ଏକ ସପ୍ତାହାନ୍ତ ଟ୍ରିପ ସମୟରେ ମୃତ୍ୟୁ ହୋଇଯାଇଛି । ୩୫ ବର୍ଷୀୟା ଏହି ମହିଳା ନିଜ ସ୍ୱାମୀ, ୮ ଓ ୩ ବର୍ଷର ଦୁଇ କନ୍ୟା ସହ ୨ ଦିନ ଲାଗି ଛୁଟୀ କଟାଇବାକୁ ବାହାରକୁ ଯାଇଥିଲେ । ସେହିଠାରେ ସେ ଅଚାନକ ରୋଗରେ ପଡିଯାଇଥିଲେ ।
ଏଶ୍ଳେଙ୍କ ଭାଇ କହିଛନ୍ତି ସେ ପାଣି ପିଇବାକୁ ବହୁତ ଭଲ ପାଉଥିଲା । ଟ୍ରିପ ସମୟରେ ତାଙ୍କର ଡିହାଇଡ୍ରେସନ ସମସ୍ୟା ହୋଇଥିଲା ଓ ତାଙ୍କ ମୁଣ୍ଡରେ ଭୀଷଣ ଯନ୍ତ୍ରଣା ହେଉଥିଲା । ଶରୀରକୁ ହାଇଡ୍ରେଟ କରିବା ଲାଗି ଏଶ୍ଳେ ମାତ୍ର ୨୦ ମିନିଟ ମଧ୍ୟରେ ୪ ବୋତଲ ପାଣି ପିଇଦେଇଥିଲେ । ଏତେମାତ୍ରାରେ ପାଣି ପିଇବା ଲାଗି ଜଣେ ବ୍ୟକ୍ତିଙ୍କୁ ପୁରା ଦିନ ସମୟ ଲାଗୁଥିବା ବେଳେ ଏଶ୍ଳେ ମାତ୍ର ୨୦ ମିନିଟ୍ରେ ଏତେ ପାଣି ପିଇ ଦେଇଥିଲେ । ଏତେ ପାଣି ପିଇବା ପରେ ସେ ଅଚାନକ ତଳେ ପଡିଯାଇଥିଲେ ଓ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଟେଉଁଠାରୁ ସେ ଆଉ ଫେରି ଘରକୁ ଆସି ନ ଥିଲେ । ତେବେ ହସ୍ପିଟାଲରେ ଡାକ୍ତର କହିଛନ୍ତି ୱାଟର ଟକ୍ସିସିଟି କାରଣରୁ ଏଶ୍ଳେଙ୍କର ମୃତ୍ୟୁ ହୋଇଛି ।
ୱାଟର ଟକ୍ସିସିଟି ସମସ୍ୟା ବହୁତ ରେୟାର ହେଲେ ବି ଏହାର ସାମ୍ନା ସେତେବେଳେ କରିବାକୁ ପଡିଥାଏ ଯେତେବେଳେ କୌଣସି ବ୍ୟକ୍ତି ଆବଶ୍ୟକତା ଠାରୁ ଅଧିକ ପାଣି ପିଇ ଦେଇଥାଏ । କମ୍ ସମୟରେ ବହୁତ ଅଧିକ ପାଣି ପିଇଦେବା ଦ୍ୱାରା ଏଥିରେ ଥିବା ଇଲେକ୍ଟ୍ରୋଲାଇଟସ୍ ରକ୍ତରେ ମିଶିଯାଇଥାଏ । ଏହି ଅବସ୍ଥାରେ ବ୍ୟକ୍ତି ଠାରେ ମୁଣ୍ଡବିନ୍ଧ, ବାନ୍ତି, କ୍ଲାନ୍ତି, ହୃଦୟ ଥରିବା ଆଦି ଲକ୍ଷଣ ପରିପ୍ରକାଶ ପାଇଥାଏ ।