ଲାଞ୍ଚ ନେଇ ମଧ୍ୟ ହୋଇପାରିଲାନି ଚିକିତ୍ସା, ଶେଷରେ ଚାଲିଗଲା ମାଆଙ୍କ ଜୀବନ
ଚିକିତ୍ସା ପାଇଁ ଲାଞ୍ଚ ଦେଲା ପୁଅ, କିନ୍ତୁ ବଞ୍ଚାଇ ପାରିଲାନି ମାଆଙ୍କୁ
ଉତ୍ତରପ୍ରଦେଶ: ଦୁନିଆ ଏବେ ଲାଞ୍ଚରେ ଚାଲିଛି। ସବୁ କାମ ପାଇଁ ପ୍ରଥମେ ଲାଞ୍ଚ ଦେବାକୁ ପଡୁଛି। ସେହିପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଶାହାଜାହାନପୁରର ପଣ୍ଡିତ ରାମପ୍ରସାଦ ବିସମିଲ ମେଡିକାଲ କଲେଜରେ। ଜଣେ ଅସହାୟ ପୁଅ ତାଙ୍କ ଅସୁସ୍ଥ ମାଆଙ୍କ ଚିକିତ୍ସା ପାଇଁ ଲାଞ୍ଚ ଦେଇଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚି ପାରିଲା ନାହିଁ।
ଘଟଣାଟି ଜିଲ୍ଲାର ରୋଜା ଥାନା ଅନ୍ତର୍ଗତ ଅତସାଲିଆ ଗାଁର। ଏଠାରେ ରହୁଥିବା ନନ୍ହି ଦେବୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଗଲା। ତାଙ୍କ ପୁଅ ତୁରନ୍ତ 108କୁ ଫୋନକରି ଆମ୍ବୁଲାନ୍ସ ଡାକି ତାଙ୍କୁ ମେଡିକାଲ କଲେଜକୁ ନେଇଥିଲେ। କିନ୍ତୁ ସେମାନେ ସେଠାରେ ପହଞ୍ଚିବା ମାତ୍ରେ ଆମ୍ବୁଲାନ୍ସ ଡ୍ରାଇଭର ତାଙ୍କ ମାଆଙ୍କୁ ଜରୁରୀକାଳୀନ ୱାର୍ଡକୁ ସ୍ଥାନାନ୍ତର କରିବା ପାଇଁ 100 ଟଙ୍କା ଲାଞ୍ଚ ମାଗିଥିଲେ। ତାଙ୍କ ମାଆଙ୍କ ଅବସ୍ଥା ଦେଖି ପୁଅ ବିଳମ୍ବ ନକରି ଟଙ୍କା ଦେଇଦେଲେ।
କେବଳ ସେତିକି ନୁହେଁ, ଯେତେବେଳେ ସେମାନେ ଜରୁରୀକାଳୀନ ୱାର୍ଡରେ ପହଞ୍ଚିଲେ, ସେଠାରେ ଉପସ୍ଥିତ ୱାର୍ଡବୟ ଡାକ୍ତରଙ୍କ ଦ୍ୱାରା ଶୀଘ୍ର ଚେକଅପ୍ କରାଇବା ପାଇଁ ଆହୁରି 100 ଟଙ୍କା ମାଗିଲେ। ପୁଅ ତାକୁ ମଧ୍ୟ ଦେଇଦେଇଥିଲେ। କିନ୍ତୁ ଟଙ୍କା ଦେବା ସତ୍ୱେ ମଧ୍ୟ ମା’ର ଚିକିତ୍ସା ଆରମ୍ଭ ହୋଇନଥିଲା। କିଛି ସମୟ ପରେ ପୁଅର କୋଳରେ ମା’ର ମୃତ୍ୟୁ ହୋଇଗଲା।
ସବୁଠାରୁ ଦୁଃଖଦ କଥା ଏହା ଥିଲା ଯେ, ମା’ର ମୃତ୍ୟୁ ହୋଇଯିବା ପରେ, ଯେଉଁ ସ୍ୱାସ୍ଥ୍ୟ କର୍ମୀ ଲାଞ୍ଚ ଦେଇଥିଲେ ସେ ଫେରି ଆସି ସେହି ଶହେ ଟଙ୍କାକୁ ଫେରାଇଦେଲେ।
ଏହା କେବଳ ଗୋଟେ ମାଆର କାହାଣୀ ନଥିଲା ବରଂ ଜଣେ ବ୍ୟକ୍ତିର ଅସହାୟତାର ସୁଯୋଗ ନେଇ ଟଙ୍କା ଆଦାୟ କରୁଥିବା ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାର ସତ୍ୟତା ଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଏହି ଲାଞ୍ଚ ଦେବା ନେବାର ଯେଉଁ ବ୍ୟବସ୍ଥା ଚାଲିଛି ସେଥିରେ କଣ ସୁଧାର ଆସିବନି ?