ମୁକେଶ ଅମ୍ବାନୀଙ୍କ ବଦ୍ରିନାଥ ଓ କେଦାରନାଥ ଦର୍ଶନ, ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ଆୟୋଜିତ

ନୂଆଦିଲ୍ଲୀ: ପ୍ରସିଦ୍ଧ ଶିଳ୍ପପତି ମୁକେଶ ଅମ୍ବାନୀ ରବିବାର କେଦାରନାଥ ଓ ବଦ୍ରିନାଥରେ ପହଞ୍ଚି ହରିହରଙ୍କ ଦର୍ଶନ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ । ସେ କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରବିବାର ସକାଳେ ପ୍ରଥମେ ବଦ୍ରିନାଥଙ୍କ ଦର୍ଶନ କରିଥିଲେ । ଏହା ପରେ କେଦାରନାଥ ପୀଠରେ ପହଞ୍ଚି ଶିବ ଶମ୍ଭୁଙ୍କ ଆରାଧନା କରିଥିଲେ ।

ଅମ୍ବାନୀ ବିମାନରେ ସକାଳ ୯ଟାରେ ବଦ୍ରୀନାଥ ମନ୍ଦିରରେ ପହଞ୍ଚିଥିଲେ । ତାଙ୍କୁ ମନ୍ଦିର କମିଟି ପକ୍ଷରୁ ସ୍ୱାଗତ କରାଯାଇଥିଲା । ୯.୩୦ରେ ମୁକେଶ ବଦ୍ରୀନାଥ ମନ୍ଦିରରେ ବଦ୍ରିନାରାୟଣଙ୍କ ଦର୍ଶନ କରିଥିଲେ । ପୀଠର ପୂଜକମାନେ ମନ୍ତ୍ରପାଠ କରି ବିଶେଷ ପୂଜା କରିଥିଲେ । ଏହା ପରେ ସେ କେଦାରନାଥ ପୀଠ ଅଭିମୁଖେ ହେଲିକପ୍ଟରରେ ଯାତ୍ରା କରିଥିଲେ ।

ସେଠାରେ ମୁକେଶ ୧୦ଟା ୪୫ରେ ପହଞ୍ଚିଥିଲେ । ତାଙ୍କ ପାଇଁ ବିଶେଷ ପୂଜାର ଆୟୋଜନ ହୋଇଥିଲା । ମୁକେଶ ରୁଦ୍ରାଭିଷେକ କରିଥିଲେ । ଏହି ଦର୍ଶନ କାଳରେ ଉଭୟ ଧାମ ପାଇଁ ମୁକେଶ ଭେଟିଦେଇଛନ୍ତି କୋଟି କୋଟି ଟଙ୍କା । ଦାନ ସ୍ୱରୂପ ଦୁଇ ମନ୍ଦିର ପାଇଁ ୫ କୋଟି ଟଙ୍କା ଦେଇଛନ୍ତି ମୁକେଶ ।

ଏଠାରେ କହି ରଖୁ କି, ତିରୁପତି ଲଡୁ ବିବାଦ ପରେ ଏହି ଦୁଇ ପୀଠର ସମିତି ମଧ୍ୟ ବର୍ଷକୁ ଥରେ ବାହାରୁଥିବା ପ୍ରସାଦ ପାଇଁ ଏସଓପି ଜାରି କରିଛି । ଉତ୍ତରାଖଣ୍ଡର ଏହି ଦୁଇ ପୀଠକୁ ବର୍ଷକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ପ୍ରସାଦ ପ୍ରସ୍ତୁତିରେ ବିଶେଷ ଧ୍ୟାନ ଦେବାକୁ ଗାଇଡଲାଇନରେ କୁହାଯାଇଛି ।

Get real time updates directly on you device, subscribe now.