fbpx

ମୁଖତାର ଅନସାରୀ ସହଯୋଗୀ ଜୁଗନୁ ବାଲିଆ ଗିରଫ: ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା

Advertisement

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାହୁବଳୀ ଗ୍ୟାଙ୍ଗଷ୍ଟର ତଥା ରାଜନେତା ମୁଖତାର ଅନସାରୀଙ୍କୁ ଗତ ମାସ ୨୯ ତାରିଖରେ କୋର୍ଟ ୧୦ ବର୍ଷର ଦଣ୍ଡାଦେଶ ଶୁଣାଇଥିଲେ । ଗାଜିପୁର ଏମପି-ଏମଏଲଏ କୋର୍ଟ ଗ୍ୟାଙ୍ଗଷ୍ଟରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୫ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଥିଲେ । ସେହିପରି ମୁଖତାରଙ୍କ ଭାଇ ଅଫଜଲ ଅନସାରୀଙ୍କୁ କୋର୍ଟ ୪ ବର୍ଷର ଜେଲଦଣ୍ଡାଦେଶ ଶୁଣାଇଥିବା ବେଳେ ସେ ନିଜର ଲୋକସଭା ସଦସ୍ୟତା ହରାଇଥିଲେ ।

ତେବେ ଆଜି ମୁଖତାରଙ୍କ ସହଯୋଗୀ ଜୁଗନୁ ବାଲିଆଙ୍କୁ ୟୁପି ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଗିରଫ କରିଛି । ଜୁଗନୁଙ୍କୁ ପଞ୍ଜାବରୁ ଏଟିଏଫ୍ ଟିମ୍ ଗିରଫ କରିଥିଲା । ଜୁଗନୁଙ୍କ ଗିରଫଦାରୀ ନେଇ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଜୁଗନୁଙ୍କ ବିରୋଧରେ ଉତ୍ତରପ୍ରଦେଶର ଆଲମଙ୍ଗଜ ଅଞ୍ଚଳର ରେଷ୍ଟୁରାଣ୍ଟ ମାଲିକଙ୍କ ହତ୍ୟା ଅଭିଯୋଗ ରହିଥିଲା । ଏହି ମାମଲାରେ ସେ ବହୁଦିନ ଧରି ଫେରାର ରହିଥିଲେ ।

ତେବେ ଜୁଗନୁଙ୍କ ଗିରଫଦାରୀ ପରେ ମୁଖତାରଙ୍କ ବିରୋଧରେ ବହୁ ପ୍ରମାଣ ମିଳିପାରିବ । ପୋଲିସକୁ ଜୁଗନୁ ଏହି ମାମଲାରେ କିଛି ସହାୟତା କରିବାର ସମ୍ଭାବନା ରହିଛି । ଜୁଗନୁ ମୁଖତାର ଓ ତାଙ୍ଗ ଗ୍ୟାଙ୍ଗ ସମ୍ବନ୍ଧୀୟ ବଡ଼ ଖୁଲାସା କରିପାରନ୍ତି । ସୂଚନାଯୋଗ୍ୟ ଯେ, ୟୁପିର ବହୁଚର୍ଚ୍ଚିତ କୃଷ୍ଣାନନ୍ଦ ରାୟ ହତ୍ୟାକାଣ୍ଡ ଓ ବ୍ୟବସାୟୀ ନନ୍ଦକିଶୋର ରୁଙ୍ଗଟାଙ୍କ ଅପହରଣ ଘଟଣାରେ ମୁଖତାର ଓ ଅଫଜଲଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟରେ ମାମଲା ଦାୟର ହୋଇଥିଲା । ୨୦୦୫ରେ ଗାଜିପୁରରେ ପୂର୍ବତନ ବିଜେପି ବିଧାୟକ କୃଷ୍ଣାନନ୍ଦଙ୍କ ସହିତ ୭ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।

Get real time updates directly on you device, subscribe now.