ନୂଆ ବର୍ଷର ଦ୍ୱିତୀୟ ସକାଳେ ଗଡିଲା ମୁଣ୍ଡ, ଖଣ୍ଡାରେ ହାଣି ଯୁବକଙ୍କୁ ହତ୍ୟା
ମୃତଦେହର ପିଠି ଓ ପେଟରେ ଗଭୀର କ୍ଷତ ଚିହ୍ନ ରହିଛି । କ୍ଷତକୁ ଦେଖି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ସନ୍ଦେହ
ଭୁବନେଶ୍ୱର– ରାଜଧାନୀ ଭୁବନେଶ୍ୱରରେ ବିଭତ୍ସ ହତ୍ୟା । ଭୁବନେଶ୍ୱରର ପୁନାମା ଗେଟ ନିକଟରେ ଯୁବକଙ୍କୁ ଅତି ନୃଶଂସଭାବେ ହତ୍ୟା କରାଯାଇଛି । ମୃତଦେହ ରେଳ ଧାରଣରେ ରକ୍ତ ଜୁଡୁବୁଡ ଅବସ୍ଥାରେ ଉଦ୍ଧାର ହୋଇଛି । ଶରୀରର ବିଭିନ୍ନ ଅଂଶରେ ଗଭୀର କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଯୁବକଙ୍କୁ ଖଣ୍ଡାରେ ହତ୍ୟା କରାଯାଇଥିଲା ଅଭିଯୋଗ କରୁଛନ୍ତି ପରିବାର ଲୋକ ।
ସକାଳୁ ସକାଳୁ ପୁନାମା ଗେଟ ନିକଟ ରେଳ ଧାରଣା ଉପରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ ।
ମୃତ ଯୁବକଙ୍କ ନାଁ ସରୋଜ ବେହେରା ବୋଲି ଜଣାପଡିଛି ।
ମୃତଦେହର ପିଠି ଓ ପେଟରେ ଗଭୀର କ୍ଷତ ଚିହ୍ନ ରହିଛି । କ୍ଷତକୁ ଦେଖି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ସନ୍ଦେହ ହେଉଛି ।
ଶବ ସମ୍ପୂର୍ଣ୍ଣ ରକ୍ତରେ ଜୁଡୁବୁଡ ହେବା ସହ ରାସ୍ତାରେ ମଧ୍ୟ ରକ୍ତ ପଡିଛି ।
ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଯୁବକ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡିଛି । ପୋଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣାର ତଦନ୍ତ କରୁଛନ୍ତି ।
ହତ୍ୟା ପଛର କାରଣ ଜଣାପଡି ନ ଥିବା ବେଳେ ପୂର୍ବ ଶତ୍ରୁତା ନା ଅନ୍ୟ କେଉଁ କାରଣରୁ ଯୁବକଙ୍କୁ ହତ୍ୟା କରାଯାଇଛି, ସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି ।
ତେବେ ସନ୍ଦେହ ହେଉଛି କି, ନୂଆବର୍ଷ ପାଳନ ଅବସରରେ ଗତ ରାତିରେ ହୁଏତ ସାଙ୍ଗ ସାଥିଙ୍କ ସହ ଖାଇବା ପିଇବା ପରେ ବଚସା ହୋଇଥିବାରୁ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି ।