ବେଙ୍ଗାଲୁରୁ: କର୍ଣ୍ଣାଟକର କୋଡାଗୁ ଜିଲ୍ଲାରେ ଅକ୍ଟୋବର ୮ ତାରିଖରେ ହୋଇଥିବା କଫି ବାଗାନ ହତ୍ୟା ଘଟଣାର ରହସ୍ୟ ଉପରୁ ପୋଲିସ ପରଦା ଉଠାଇଛି । ମୃତ ୫୪ ବର୍ଷୀୟ ରମେଶଙ୍କୁ ହତ୍ୟା କରିଥିଲା ତାଙ୍କ ପତ୍ନୀ । ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ମାରି କଫି ବାଗାନରେ ପୋଡିଦେଇଥିଲା ହତ୍ୟାକାରୀ ପତ୍ନୀ । ଘଟଣାରେ ପୋଲିସ ଅଭିଯୁକ୍ତା ପତ୍ନୀ ସହ ତାର ପ୍ରେମିକ ଓ ଅନ୍ୟ ଜଣେ ସହଯୋଗୀକୁ ଗିରଫ କରିଛି ।
ପୋଲିସ ମୁତାବକ, ସମ୍ପୂର୍ଣ୍ଣ ଜଳିଯାଇଥିବା ଏକ ଶବର ଚିହ୍ନଟ କରିବା ସହ ହତ୍ୟା ପଛର କାରଣ ଖୋଜି ପାଇବା କାଠିକର ପାଠଥିଲା । ଘଟଣାର ପର୍ଦ୍ଦାଫାସ କରିବାକୁ ପୋଲିସକୁ ୫୦୦ ସିସିଟିଭି କ୍ୟାମରେର ଫୁଟେଜ ଓ ଏକ ନାଲି ମର୍ସିଡିଜ କାର ସାହାଯ୍ୟ କରିଥିଲା । ଗୋଟିଏ ପଟେ ସ୍ୱାମୀକୁ ମାରି, ଅନ୍ୟପଟେ ପୋଲିସ ନିକଟରେ ସ୍ୱାମୀଙ୍କ ନିଖୋଜ ନେଇ ଅଭିଯୋଗ କରିଥିଲେ ଅଭିଯୁକ୍ତା ୨୯ ବର୍ଷୀୟା ନିହାରିକା । ତେବେ ସିସିଟିଭି ଫୁଟେଜ ଓ ନାଲି କାର ଧରାଇଦେଲା ଅଭିଯୁକ୍ତଙ୍କୁ ।
ପୋଲିସ ମୁତାବକ, ନିହାରିକାର ଶୈଶବ ଅଭାବ ଅସୁବିଧାରେ କଟିଥିଲା । ତାର ବାପାଙ୍କ ମୃତ୍ୟୁ ପରେ ମାଆ ଅନ୍ୟତ୍ର ବିବାହ କରିନେଲା । ନିହାରିକା ଇଞ୍ଜିନିୟରିଂ କରିବା ପରେ ଚାକିରି କରିଥିଲା । ହରିଆଣାରେ ଚାକିରି କରୁଥିବା ବେଳେ ଦୁର୍ନୀତି ମାମଲାରେ ଜେଲ ଯାଇଥିଲା । ସେଠି ତାର ଅଙ୍କୁର ନାମକ ବ୍ୟକ୍ତି ସହ ପରିଚୟ ହୋଇଥିଲା, ଯିଏ ସ୍ୱାମୀଙ୍କ ହତ୍ୟାରେ ତାକୁ ସହଯୋଗ କରିଛି । ଜେଲରୁ ବାହାରିବା ପରେ ସେ ରମେଶଙ୍କୁ ବିବାହ କରିଥିଲା । ରମେଶ ଜଣେ ବଡ ବ୍ୟବସାୟୀ ଥିଲେ । ବିବାହ ପରେ ନିହାରିକା ନିଖିଲ ନାମକ ବ୍ୟକ୍ତି ସହ ସମ୍ପର୍କ ରଖିଥିଲା ।
ଦିନେ ନିହାରିକା ସ୍ୱାମୀଙ୍କୁ ୮ କୋଟି ଟଙ୍କା ମାଗିଥିଲା । ହେଲେ ରମେଶ ଟଙ୍କା ଦେବାକୁ ମନା କରିଥିଲେ । ଏଥିରେ ରାଗିଯାଇ, ନିହାରିକା ନିଖିଲ ଓ ଅଙ୍କୁର ସହ ମିଶି ୧ ଅକ୍ଟୋବରକୁ ହାଇଦ୍ରାବାଦର ଉପ୍ପଲରେ ରମେଶଙ୍କ ତଣ୍ଟି କାଟି ହତ୍ୟା କରିଥିଲା । ସେଠାରୁ ୮୦୦ କିମି ଦୂର କୋଡାଗୁର ଏକ କଫି ଫାର୍ମରେ ଶବକୁ ପୋଡିଦେଇଥିଲେ ତିନି ଅଭିଯୁକ୍ତ । ପୋଲିସ କଫି ଫାର୍ମ ନିକଟର ସିସିଟିଭି ଫୁଟେଜ ସହ ଗୋଟିଏ ଗୋଟିଏ କ୍ୟାମେରାରର ଫୁଟେଜକୁ ଅନୁଧ୍ୟାନ କରିବା ବେଳେ ନାଲି ମର୍ସିଡିଜ ନଜରକୁ ଆସୁଥିଲା ।
କାରର ଯାଞ୍ଚ କରିବାରୁ ତାହା ମୃତ ରମେଶଙ୍କର ଥିବା ଜଣାପଡିଥିଲା । କଡି ସହ କଡି ଯୋଡି ଶେଷରେ ନିହାରିକା ନିକଟରେ ପହଞ୍ଚିଥିଲା ପୋଲିସ । ପଚରା ଉଚରା ବେଳେ ନିହାରିକା ସବୁ ମାନିଥିଲା ପୋଲିସ ନିକଟରେ ।