fbpx

ମୋଦୀଙ୍କ ଉପରେ ପିଏଚ୍‌ଡି କଲେ ବିଏଚ୍‌ୟୁର ମୁସଲିମ୍ ଛାତ୍ରୀ, ଲକ୍ଷ୍ୟ ମୋଦୀଙ୍କ ପରି ରାଜନେତା ହେବେ

ବାରାଣସୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ କ୍ଷେତ୍ର ବାରାଣସୀରେ ରହୁଥିବା ରାଜନୀତି ବିଜ୍ଞାନ ଛାତ୍ରୀ ନଜମା ପରବୀନ୍ ବନାରସ ହିନ୍ଦୁ ୟୁନିଭରସିଟିରୁ ମୋଦୀଙ୍କ ଉପରେ ପିଏଚଡି ଶେଷ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ରିସର୍ଚ୍ଚ କରିବାରେ ନଜମା ହେଉଛନ୍ତି ପ୍ରଥମ ମୁସଲିମ୍ ମହିଳା । ତାଙ୍କ ରିସର୍ଚ୍ଚର ଶୀର୍ଷକ ‘ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ନେତୃତ୍ୱ: ଏକ ବିଶ୍ଲେଷଣାତ୍ମକ ଅଧ୍ୟୟନ’ । ନଜମାଙ୍କ ରିସର୍ଚ୍ଚରେ ମୋଦୀଙ୍କୁ ରାଜନୀତିର ମେଗାଷ୍ଟାର ବୋଲି କୁହାଯାଇଛି ।

ନଜମା ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ରିସର୍ଚ୍ଚ କରିବା ଲାଗି ବିଏଚ୍‌ୟୁରେ ନିଜର ଆଡମିଶନ କରାଇଥିଲେ । ୮ ବର୍ଷ ମଧ୍ୟରେ ନଜମା ନିଜର ରିସର୍ଚ୍ଚ ସଂପନ୍ନ କରିଥିଲେ । ବିଏଚୟୁ ପ୍ରଫେସର ସଞ୍ଜୟ ଶ୍ରୀବାସ୍ତବଙ୍କ ତତ୍ତ୍ୱାବଧାନରେ ସେ ନିଜର ରିସର୍ଚ୍ଚ ଶେଷ କରିଥିଲେ ଏବଂ ତାଙ୍କ ଥେସିସ୍ ପେପରର ପରୀକ୍ଷକ ଥିଲେ ଜାମିଆ ମିଲିଆ ଇସଲାମିଆର ରାଜନୀତି ବିଜ୍ଞାନ ବିଭାଗ ପ୍ରଫେସର ମହତାବ ଆଲମ ରିଜଭି ।

ଲଲ୍ଲାପୁର ନିବାସୀ ନଜମା ଏକ ସାଧାରଣ ବୁଣାକାର ପରିବାରରୁ ଆସିଛନ୍ତି । କିଛି ବର୍ଷ ତଳେ ସେ ନିଜ ମାତାପିତାଙ୍କୁ ହରାଇଛନ୍ତି । ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ନିଜର ଶିକ୍ଷା ଜାରି ରଖିଥିଲେ । ବିଶାଳ ଭାରତ ସଂସ୍ଥାନର ସଂସ୍ଥାପକ ପ୍ରଫେସର ରାଜୀବ ଶ୍ରୀବାସ୍ତବ ତାଙ୍କର ସମର୍ଥନ କରିଥିଲେ ଓ ତାଙ୍କର ସମସ୍ତ ପାଠପଢା ଖର୍ଚ୍ଚ ଉଠାଇଥିଲେ ।

ତେବେ ସେ କାହିଁକି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜର ପିଏଚ୍‌ଡି ବିଷୟ ଭାବରେ ବାଛିଥିଲେ ପ୍ରଶ୍ନର ଉତ୍ତରରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ବିକାଶର ଏକ ମଡେଲ ପ୍ରସ୍ତୁତ କରିଥିଲେ । ତାଙ୍କ ଲୋକପ୍ରିୟତା ବଢିଥିଲା ଓ ୨୦୧୪ରେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନ ଦେଶର ପୁରା ରାଜନୈତିକ ଚିତ୍ରପଟ ବଦଳାଇ ଦେଇଥିଲା । ସେ କହିଛନ୍ତି ମୋଦୀ ଦେଶର ବିକାଶ ଲାଗି ଓ ଗରିବଙ୍କ କଲ୍ୟାଣ ଲାଗି ଯେଉଁସବୁ ପଦକ୍ଷେପ ନେଇଛନ୍ତି ତାହା ତାଙ୍କୁ ବେଶ୍ ପ୍ରଭାବିତ କରିଛି । ସେ ମଧ୍ୟ ମୋଦୀଙ୍କ ପରି ରାଜନେତା ହେବାକୁ ଲକ୍ଷ୍ୟ ରଖିଛନ୍ତି ।

Get real time updates directly on you device, subscribe now.