ମିଆଁମାର ଭୂକମ୍ପରେ ସବୁ ଛାରଖାର; ଥାଇଲାଣ୍ଡରେ ଏମର୍ଜେନ୍ସୀ, ଉଦବେଗ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ମିଆଁମାର ଭୂକମ୍ପରେ 20 ଜଣଙ୍କ ମୃତ୍ୟୁ ।

ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଉଠିଲା ମିଆଁମାର । ଗୋଟିଏ ନୁହେଁ ଦୁଇ ଦୁଇଟି ଭୂକମ୍ପରେ ଥରିଲା ମାଟି, ଭାଙ୍ଗିଲା ଅଟ୍ଟାଳିକା । ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି । ଚୀନ, ଥାଇଲାଣ୍ଡ ଏବଂ ବ୍ୟାଙ୍କକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବେଗ ପ୍ରକାଶ କରିଛନ୍ତି । ସେ ଏକ୍ସରେ ଟ୍ବିଟ କରି କହିଛନ୍ତି, ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୂମିକମ୍ପ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ମୁଁ ଚିନ୍ତିତ । ସମସ୍ତଙ୍କ ସୁରକ୍ଷା ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି ।

ଭାରତ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି । ଏହି ପରିପ୍ରେକ୍ଷୀରେ, ଆମର କର୍ତ୍ତୃପକ୍ଷଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହା ସହିତ ମିଆଁମାର ଏବଂ ଥାଇଲ୍ୟାଣ୍ଡ ସରକାରଙ୍କ ସହିତ ଯୋଗାଯୋଗରେ ରହିବାକୁ ମଧ୍ୟ ବିଦେଶ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଥିବା କହିଛନ୍ତି ମୋଦୀ ।

ପ୍ରାଥମିକ ସୂଚନା ଅନୁସାରେ, ବିଭିନ୍ନ ସ୍ଥାନରେ କୋଠା ଭୁଶୁଡିଥିବା ଚିତ୍ର ସାମ୍ନାକୁ ଆସିଛି । 43 ଜଣ କୋଠା ତଳେ ଚାପି ରହିଥିବା କୁହାଯାଉଛି ।

ତେବେ ମିଆଁମାରରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ଅନେକ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି । ଅନେକ ମୃତାହତ ହୋଇଥିବାର ଆଶଙ୍କା କରାଯାଉଛି । ମିଆଁମାରର ମାଣ୍ଡାଲାସ୍ଥିତ ଇରାୱାଡି ନଦୀରେ ଥିବା ଆଇକନିକ୍ ଆଭା ବ୍ରିଜ ଭୁଶୁଡି ପଡିଛି । ବର୍ତ୍ତମାନ 20 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଥାଇଲାଣ୍ଡରେ ଏମର୍ଜେନ୍ସୀ ଜାରି କଲେ ସରକାର ।