ରିଓପନ ହେଲା ନବ ଦାସ ଫାଇଲ୍, ଘାଣ୍ଟିବ କ୍ରାଇମବ୍ରାଞ୍ଚ
ନବଦାସ ହତ୍ୟା ମାମଲାରେ ନୂଆ ମୋଡ। ଖୋଲିଲା ନବ ଫାଇଲ୍। ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବା ପାଇଁ ଦୀପାଳି ଓ ବିଶାଲଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍।
ଭୁବନେଶ୍ୱର: ନବଦାସ ହତ୍ୟା ମାମଲାରେ ନୂଆ ମୋଡ। ଖୋଲିଲା ନବ ଫାଇଲ୍। ଖୋଳତାଡ କରିବ କ୍ରାଇମବ୍ରାଞ୍ଚ। ଦୀର୍ଘ ଦିନ ହେବ ବନ୍ଦ ହୋଇଯାଇଥିବା କେସର ରିଓପନ କଲା କ୍ରାଇମବ୍ରାଞ୍ଚ। ଏହାସହ ଦୀପାଳି ଓ ବିଶାଲ ଦାସଙ୍କୁ ହାଜର ପାଇଁ କ୍ରାଇମବ୍ରାଞ୍ଚ ମଧ୍ୟ ନୋଟିସ୍ କରିସାରିଛି।
ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବା ପାଇଁ ନୋଟିସରେ କୁହାଯାଇଛି। ଏହାସହ ତଦନ୍ତରେ କୌଣସି ଆପତ୍ତି ଥିଲେ ଜଣାଇବାକୁ ନୋଟିସରେ ମଧ୍ୟ ଉଲ୍ଲେଖ ରହିଛି। ଏହାଛଡ଼ା ଯଦି କିଛି ନୂଆ ତଥ୍ୟ ଦେବାକୁ ଚାହୁଁଛନ୍ତି ତାହା ମଧ୍ୟ ତଦନ୍ତକାରୀ ସଂସ୍ଥା ପାଖରେ ରଖିପାରିବେ ବୋଲି ନୋଟିସରେ କୁହାଯାଇଛି।
ଖୋଲିଲା ଫାଇଲ୍: ତେବେ ୨୦୨୩ ମସିହାରେ ତତକାଳୀନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ସବୁଠି ଚାଞ୍ଚଲ୍ୟ ଖେଳାଇଦେଇଥିଲା। ସର୍ବସମ୍ମୁଖରେ ଦିନ ଦ୍ୱିପ୍ରହରରେ କଡ଼ା ସିକ୍ୟୁରିଟି ଭିତରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
ଆଉ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋପାଳ ଦାସକୁ ମଧ୍ୟ ଗିରଫ କରାଗଲା। ହେଲେ କିଛିଦିନ ଭିତରେ ଏହି କେସ୍ ବନ୍ଦ ହୋଇଗଲା। ସେତେବେଳେ ଟିକେଟି ଲୋଭରେ ଦୀପାଳି ମଧ୍ୟ ବାପାଙ୍କ କେସ ଉପରେ ଧ୍ୟାନ ଦେଲେ ନାହିଁ ବୋଲି ଚର୍ଚ୍ଚା ହେଲା।
ହେଲେ ଦୀର୍ଘ ଦେଢ ବର୍ଷେ ପରେ ଏବେ ଯେତେବେଳେ ବିଜେପି କ୍ଷମତାକୁ ଆସିଲା ସେତେବେଳେ ନବ ଦାସ ଫାଇଲ୍ ପୁଣିଥରେ ଖୋଲିବ ବୋଲି ବିଜେପି ସରକାର ପ୍ରତିଶୃତି ଦେଇଥିଲେ। ଯାହା ସରକାରକୁ ଆସିବାର ୯ ମାସ ପରେ ଖୋଲିଲା।
କ୍ରାଇମବ୍ରାଞ୍ଚ ତଦନ୍ତ: ଆଉ ଏବେ ନବ ଦାସ ହତ୍ୟାକାଣ୍ଡ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତରେ। ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ହାତକୁ ନେବା କ୍ଷଣି ଝିଅ ଓ ପୁଅକୁ ହାଜର ପାଇଁ କ୍ରାଇମବ୍ରାଞ୍ଚର ନୋଟିସ୍ ଗଲା।
ସୂଚନାନୁସାରେ, ଯେତେବେଳେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା ସେତେବେଳେ ଦୀପାଳି ଓ ବିକାଶଙ୍କ ବୟାନ ରେକର୍ଡ କରାଯାଇଥିଲା। ୨୦୨୩ ମସିହାରେ ବାପା ହତ୍ୟାକାଣ୍ଡକୁ ନେଇ ଉଭୟ ପୁଅ ଓ ଝିଅଙ୍କ ୧୬୧ଧାରାରେ ବୟାନ ରେକର୍ଡ କରାଯାଇଥିଲା।
ଯେଉଁଥିରେ ବିଶାଲ କହିଥିଲେ ମୋ ବାପାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି। ବ୍ରଜରାଜନଗରରେ ବାପାଙ୍କ ଅନେକ ବିରୋଧୀ ଥିବା କଥା କହିଥିଲେ ବିଶାଲ। ହେଲେ ଦୀପାଳି କିନ୍ତୁ ତାଙ୍କ ବୟାନରେ ସେପରି କିଛି ସନ୍ଦେହ ପ୍ରକାଶ କରିନଥିଲେ।
ତେଣୁ ଏବେ ଯେତେବେଳେ ଦୀର୍ଘ ଦିନ ପରେ ପୁଣିଥରେ ହତ୍ୟାକାଣ୍ଡର ଫାଇଲ୍ ରିଓପନ ହୋଇଛି। ଆଶା କରାଯାଉଛି ଏଥିରେ ପ୍ରକୃତ ଦୋଷୀ ଧରା ପଡିବ। ଏବଂ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା ମିଳିବ।