ଝାରସୁଗୁଡ଼ା,୨୧ା୩ : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଉପରୁ ଉଠୁନି ପରଦା । ଦିନକୁ ଦିନ ଗୋଟିଏ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଝାରସୁଗୁଡ଼ା ସଦର ହସ୍ପିଟାଲରେ କ୍ରାଇମବ୍ରାଞ୍ଚର ତନାଘନା । ଏହି ସମୟରେ ନବ ଦାସଙ୍କ ଇସିଜି କରାଯାଇଥିବା ରିପୋର୍ଟ ମିଳିପାରିନାହିଁ ବୋଲି ରେଡିଓଗ୍ରାଫର ସସ୍ମିତା ବାଗଙ୍କ ବୟାନ ରେକର୍ଡ କରାଯାଇଛି । ଅନ୍ୟପଟେ ନବଙ୍କ ଇସିଜି ରିପୋର୍ଟ ମିଳିପାରିନାହିଁ ବୋଲି କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସପି ବିଜୟ ମଲ୍ଲିକ ମଧ୍ୟ କହିଛନ୍ତି ।
ମଲ୍ଲିକ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ଝାରସୁଗୁଡ଼ା ବିମାନ ବନ୍ଦରରେ ନବ ଦାସଙ୍କୁ ଏୟାର ଲିଫ୍ଟ କରିବା ସମୟର ସମସ୍ତ ତଥ୍ୟ ମଗାଯାଇଛି, ତାହା ନେଇ ଯିବୁ। ଆମେ ତଦନ୍ତ ପ୍ରକ୍ରିୟାରେ ନୂତନ ପ୍ରମାଣ ଯୋଗାଡ଼ କରିବାକୁ ଏହି ଅତିରିକ୍ତ ତଦନ୍ତ ଚାଲିଛି ଏବଂ ଏହା କେତେ ଦିନ ପର୍ଯ୍ୟନ୍ତ ଚାଲିବ ଆମେ ମଧ୍ୟ ଜାଣି ନାହୁଁ ବୋଲି କହିଥିଲେ। ମଲ୍ଲିକ ଆହୁରି କହିଥିଲେ ଯେ, ନବଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି।
ସେ ଗୁଳି ନ ପାଇଲେ କହିହେବ ନାହିଁ ଯେ ତାହା ପୋଲିସର ଗୁଳି ନା ଆଉ କାହାର। ତେଣୁ ନବ ଦାସଙ୍କ ହତ୍ୟା ଗୋପାଳ ଦାସଙ୍କ ଗୁଳିରେ ହୋଇଥିଲା ନା ଆଉ କାହା ଗୁଳିରେ। ଇସିଜି ରିପୋର୍ଟ କୋର୍ଟରେ ପୂର୍ବରୁ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଦେଇ ନ ଥିବା ପ୍ରଶ୍ନର ଉତ୍ତର ରଖି ସେ କହିଥିଲେ ଯେ, ଡକ୍ୟୁମେଣ୍ଟ ଭେରିଫିକେଶନ ହେବା ପରେ ଏହାର ଉତ୍ତର ଦିଆଯିବ। ବର୍ତ୍ତମାନ କୌଣସି ଡକ୍ୟୁମେଣ୍ଟ କିମ୍ବା ସାମଗ୍ରୀ ସିଜ୍ କରାଯାଇନାହିଁ, ଦରକାର ପଡିଲେ ସିଜ୍ କରିବୁ ବୋଲି ମଲ୍ଲିକ କହିଛନ୍ତି।
ଅନ୍ୟପକ୍ଷରେ ପୂର୍ବରୁ ନବଙ୍କୁ ଗୁଳି ପରେ ହୋଇଥିବା ଇସିଜି ରିପୋର୍ଟ ଗାଏବ୍ ନେଇ ସୂଚନା ଦେଇଥିଲେ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ କରାଯାଇଥିଲା ଇସିଜି । ପ୍ରାଥମିକ ଚାର୍ଜସିଟ୍ରେ ଇସିଜି ରିପୋର୍ଟ ନାହିଁ କି ଏନେଇ ଉଲ୍ଲେଖ ନାହିଁ ବୋଲି କହିଥିଲେ ଗୋପାଳ ଦାସଙ୍କ ଓକିଲ ।