fbpx

ଆରମ୍ଭ ହେଲା ପତିତପାବନ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ପୁରୀ(ଓଡ଼ିଶା ଭାସ୍କର): ପୁରୀରେ ଶ୍ରୀଜିଉଙ୍କ ନବ ଯୌବନ ଦର୍ଶନ ଆରମ୍ଭ ହୋଇଛି । ୧୫ ଦିନ ପରେ ଦକ୍ଷିଣୀ ଘରକୁ ବିଜେ କରିଛନ୍ତି ଦଶାବତାର ପଟିଦିଅଁ । ଏହା ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । କରୋନା କଟକଣା ମଧ୍ୟରେ ସମସ୍ତ ନୀତିକାନ୍ତି ଚାଲିଛିି । ବେଶ ଦର୍ଶନ ପାଇଁ ପ୍ରତିବର୍ଷ ପରିମାଣିକ ଦର୍ଶନ ଓ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥାଏ । କିନ୍ତୁ କୋଭିଡ୍‌ କଟକଣା ପାଇଁ ଚଳିତବର୍ଷର ଏହି ଦର୍ଶନ ବନ୍ଦ ରଖାଯାଇଛି । ଏହା ପରେପରେ ପଟିଦିଅଁଙ୍କ ବଦଳରେ ଶ୍ରୀଜିଉଙ୍କଠାରେ ପରବର୍ତ୍ତୀ ଦୈନନ୍ଦିନ ନୀତିକାନ୍ତି ଚାଲିବ।

ତେବେ ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି । ପନ୍ଦର ଦିନ ଭକ୍ତମାନେ ତାଙ୍କର ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କହନ୍ତି । ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ । ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ । ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି । ନବଯୌବନ ଦର୍ଶନ ଲାଭ ସୁଯୋଗକୁ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷ ବ୍ୟାପି ପ୍ରତୀକ୍ଷା କରିଥାଆନ୍ତି । କେତେକ ସମୟରେ ନେତ୍ରୋତ୍ସବ ଓ ନବଯୌବନ ତିଥିରେ ସାମାନ୍ୟ ଏପଟ ସେପଟ ମଧ୍ୟ ହୋଇଥାଏ ।

Get real time updates directly on you device, subscribe now.