ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ମାମଲା। ହତ୍ୟାକାଣ୍ଡକୁ ବିତିଲାଣି ୨୭ ମାସ। ଏହାରି ଭିତରେ ଅନେକ କିଛି ପରିବର୍ତ୍ତନ ହୋଇଗଲାଣି। ରାଜ୍ୟରେ ସରକାର ବି ବଦଳିଗଲାଣି। ହେଲେ ଜଣେ ମନ୍ତ୍ରୀଙ୍କ ହତ୍ୟା କ’ଣ ପାଇଁ କରାଗଲା ତା ଉପରୁ ପରଦା ଉଠିପାରୁନି।
ପୂର୍ବ ସରକାର ସମୟରେ ବିରୋଧୀ ଏହି ହତ୍ୟାକାଣ୍ଡର CBI ତଦନ୍ତ ପାଇଁ ଦାବି କରିଥିଲେ। କିନ୍ତୁ ତତକାଳୀନ ସରକାର ସିବିଆଇକୁ କେସ୍ ଦେଇନଥିଲେ। ଆଉ ସରକାର ବଦଳିବା ପରେ ନୂଆ ସରକାରରେ ମଧ୍ୟ ସିବିଆଇ ଦାବି ହେଲା।
ହେଲେ ଏ ସରକାର ବି ସବୁ ଜାଣି ଚୁପ୍ ବସିଲା। ତେଣୁ ନବ ଦାସ ହତ୍ୟାକାଣ୍ଡ ଉପରୁ କେବେ ପରଦା ଉଠିବ ତାହା ସ୍ୱପ୍ନ ଭଳି ଲାଗିଲାଣି। ଏମିତିରେ ନବ ଦାସଙ୍କ ପରିବାର ମଧ୍ୟ କ୍ରାଇବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନଥିବା ଦର୍ଶାଇଛନ୍ତି।
ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରିଛନ୍ତି। ଆଉ ଏହାରି ଭିତରେ ନବଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବିରା ପାଖାପାଖି ଏକ ମାସ ବିତିଗଲାଣି। ହେଲେ ଏବେ ଯାଇଁ ସିବିଆଇ ହାତକୁ କେସ୍ ଦେଲେନି ସରକାର।
ଆଉ ଏହାରି ଉପରେ ଏବେ ନବ ଦାସଙ୍କ ପୁଅ ବିଶାଲ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି। ସରକାରଙ୍କ ଉପରେ ଆମର ଭରସା ଅଛି। ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛୁ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରିଛୁ। ମୁଖ୍ୟମନ୍ତ୍ରୀ ନ୍ୟାୟ ଦେବେ ବୋଲି ଭରସା ରହିଛି। ଯାହା କହିବା କଥା ସବୁ ମୁଖ୍ୟମନ୍ତ୍ରୀଙ୍କୁ କହିଛୁ।