fbpx

NDA ସରକାର ୩ୟ ଥର! ଜୁନ୍ ୮ରେ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ

Advertisement

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଜନାଦେଶ ସଭିଙ୍କ ତାଜୁବ କରିଦେଇଛି । ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ‘୪୦୦ ପାର୍’ ନାରାରେ ଲାଗିଛି ରୋକ୍ । ମୋଟ ୫୪୩ଟି ଆସନ ମଧ୍ୟରୁ ଏନଡିଏ ମାତ୍ର ୨୯୨ରେ ଅଟକି ଯାଇଥିବା ବେଳେ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ମେଣ୍ଟ ୨୩୩ଟି ଓ ଅନ୍ୟ ଦଳମାନେ ୧୮ଟି ଆସନ ହାସଲ କରିଛନ୍ତି । ଗତ ୨୦୧୯ ନିର୍ବାଚନ ଅପେକ୍ଷା ଏଥର ବିଜେପିର ସିଟ୍ ସଂଖ୍ୟା ହ୍ରାସ ପାଇଥିବା ବେଳେ ବିରୋଧୀ କଂଗ୍ରେସର ସିଟ୍ ସଂଖ୍ୟା ବୃଦ୍ଧି ପାଇଛି ।

ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ନରେନ୍ଦ୍ର ମୋଦୀ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ମୋଦୀ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଚଳିତ ନିର୍ବାଚନରେ ବିଜେପି ସବୁଠାରୁ ଅଧିକ ସିଟ୍ ହାସଲ କରିଥିଲେ ହେଁ ବହୁମତ ଠାରୁ ପଛରେ ରହିଛି । ଅନ୍ୟ ମେଣ୍ଟ ଦଳଙ୍କ ସହଯୋଗରେ ଦେଶରେ ତୃତୀୟ ଥର ଏନଡିଏ ସରକାର ଚାଲିବ । ନୂଆ ସରକାର ଗଠନ ପାଇଁ ବିଜେପିକୁ ଜେଡିୟୁ ଓ ଟିଡିପି ସହଯୋଗ କରିବେ ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଆସନ୍ତା ୮ ତାରିଖରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । ଏପରି ସ୍ଥିତିରେ ମନ୍ତ୍ରିମଣ୍ଡଳରେ କେଉଁମାନେ ସ୍ଥାନ ପାଇବେ ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଜୁନ୍ ମାସ ୮ ତାରିଖ ସନ୍ଧ୍ୟା ସମୟରେ ମୋଦୀ ପ୍ରଧାନମନ୍ତ୍ରୀଙ୍କ ଭାବେ ଶପଥ ଗ୍ରହଣ କରିପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ଏଭଳି ସ୍ଥିତିରେ ମୋଦୀ କ୍ରମାଗତ ୩ୟ ଥର ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହେବାରେ ଜବାହର ଲାଲ ନେହରୁଙ୍କ ରେକର୍ଡର ସମକକ୍ଷ ହେବେ ।

Get real time updates directly on you device, subscribe now.