କୃଷକଙ୍କ ପାଇଁ ବଡ଼ ଖବର: ଏଣିକି ସିଧାସଳଖ UPIରେ ଋଣ ପାଇବେ ଚାଷୀ, କ୍ଷୁଦ୍ରଚାଷୀଙ୍କୁ ବି ମିଳିବ ଲୋନ୍

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ଏବଂ ବଢୁଥିବା କୃଷି ଖର୍ଚ୍ଚକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ ବିଆଇ) କ୍ଷୁଦ୍ର ଚାଷୀମାନଙ୍କୁ ଜମାମୁକ୍ତ ଋଣସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଏବେ କ୍ଷୁଦ୍ର ଚାଷୀମାନେ ବିନା ବନ୍ଧକରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ବର୍ତ୍ତମାନର ସୀମା ହେଉଛି ୧.୬ ନିୟୁତ। ନୂଆ ବର୍ଷରୁ ଆରବିଆଇର ଏହି ନିର୍ଦ୍ଦେଶକୁ ସମସ୍ତ ବ୍ୟାଙ୍କକୁ ମାନିବାକୁ ପଡିବ। ଏବେ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ (ଏସ୍ ଏଫ୍ ବି) ୟୁପିଆଇ ଜରିଆରେ ଋଣ ଦେଇପାରିବେ।

ଏହାର ଫାଇଦା ହେଉଛି ଗାଁ-ଗାଁରେ ମଧ୍ୟ ଗ୍ରାମବାସୀ ମାନେ ୟୁପିଆଇରୁ ସହଜରେ ଋଣ ପାଇପାରିବେ। ଗାଁ ମାନଙ୍କରେ ଏସ୍ ଏଫ୍ ବିର ଅଧିକ ବ୍ୟବହାର ହେଉଛି। ଏସ୍ ଏଫ୍ ବି ପାଖରେ ଏପର୍ଯ୍ୟନ୍ତ ଏହି ସୁବିଧା ନାହିଁ। ରିଜର୍ଭ ବ୍ୟାଙ୍କ ର ସୂଚନା ଅନୁଯାୟୀ, ୨୦୧୯ ମସିହାରୁ କୃଷକଙ୍କ ପାଇଁ ଋଣ ର ସୀମା ଥିଲା ୧.୬ ଲକ୍ଷ ଟଙ୍କା। ପୂର୍ବରୁ ଏହି ସୀମା ୧ ଲକ୍ଷ ଟଙ୍କା ଥିଲା। କୋଟି କୋଟି କୃଷକଙ୍କ ହିତ ସହ ଜଡିତ ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଚଳିତ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାରକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ପରିସ୍ଥିତିରେ କୃଷିର ପ୍ରଦର୍ଶନ ଉନ୍ନତ ହେବା ଉଚିତ।

ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ କୃଷି କ୍ଷେତ୍ରର ଅଭିବୃଦ୍ଧି ହାର ୩.୫ ପ୍ରତିଶତ ଥିବା ବେଳେ ଉତ୍ପାଦନ ଅଭିବୃଦ୍ଧି ହାର ୨ ପ୍ରତିଶତ ରହିଛି। ଗ୍ରାମୀଣ ଚାହିଦା ଏକ ଭଲ ଅମଳ ଉପରେ ନିର୍ଭର କରେ ଏବଂ ଗ୍ରାମୀଣ ଚାହିଦାରେ ବୃଦ୍ଧି ତୃତୀୟ ଏବଂ ଚତୁର୍ଥ ତ୍ରୈମାସରେ ଜିଡିପିକୁ ବୃଦ୍ଧି କରିବ ବୋଲି ଆଶା କରାଯାଇପାରେ।