ମୁମ୍ୱାଇର ହସ୍ପିଟାଲ ବେଡରୁ ରଥଯାତ୍ରା ପାଇଁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ଅସୁସ୍ଥ ଥାଇ ମଧ୍ୟ ନିଜ ରାଜ୍ୟବାସୀ ଏବଂ ପରମ୍ପରାକୁ ଭୁଲି ନାହାନ୍ତି ନବୀନ।

ମୁମ୍ୱାଇ: ଗତବର୍ଷ ରଥଯାତ୍ରା ବେଳକୁ ରାଜ୍ୟରେ ନୂଆ ସରକାର ଦାୟିତ୍ୱ ଗ୍ରହଣ କରିସାରିଥିଲେ। ହେଲେ ତଥାପି ବିରୋଧୀ ଦଳରେ ବସି ମଧ୍ୟ ଶାସକ ଦଳର କର୍ମକର୍ତ୍ତାଙ୍କ ସହ ଏକାଠି ପୁରୀ ରଥଯାତ୍ରାରେ ଷ୍ଟେଜ ଉପରେ ବସିଥିଲେ ନବୀନ।

ହେଲେ ଏବର୍ଷ ମୁମ୍ୱାଇର ହସ୍ପିଟାଲ ବେଡରେ ଅପରେସନ ପରେ ପଡି ରହିଛନ୍ତି ନବୀନ। କିନ୍ତୁ ଦେହ ଅସୁସ୍ଥ ଥିବା ସତ୍ତ୍ୱେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ରାଜ୍ୟବାସୀ ଓ ପରମ୍ପରା କଥା ଭୁଲି ନାହାନ୍ତି।

ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ସେପଟେ ସିନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ନବୀନ ହେଲେ ମନ ରହିଛି କାଳିଆ ପାଖରେ। ସେଥିପାଇଁ ତ ଏତେ କଷ୍ଟରେ ଥାଇ ମଧ୍ୟ ସେ ରାଜ୍ୟବାସୀଙ୍କୁ ରଥଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ମୁମ୍ୱାଇର ହସ୍ପିଟାଲ ବେଡରୁ ଓଡ଼ିଶାବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସର୍ଜରୀ ପରେ ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି ନବୀନ। ଖୁବ୍ ଶୀଘ୍ର ସେ  ନିଜ ମାଟିକୁ ଫେରିବେ ସମସ୍ତଙ୍କର ଭଗବାନଙ୍କ ପାଖରେ କାମନା।