fbpx

(Video) ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ମୁହଁ ଖୋଲିଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଜେଡିକୁ କ୍ଷମତାଚ୍ୟୁତ କରି ଅପ୍ରତ୍ୟାଶିତ ଭାବେ ବହୁମତ ହାସଲ କରିଛି ବିଜେପି । ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ପରେ ନବୀନ ପଟ୍ଟନାୟକ ପ୍ରଥମ ଥର ପରାଜୟକୁ ସାମ୍ନା କରିଛନ୍ତି । ତେବେ ଏହି ପରାଜୟ ପରେ ଦେଶର ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବା ବିରଳ ରେକର୍ଡ କରିବାରୁ ବଞ୍ଚିତ ହୋଇଥିଲେ ନବୀନ । ଆଉ ୭୪ ଦିନ ପୂରଣ କରିଥିଲେ ନବୀନ ଏହି ରେକର୍ଡର ଅଧିକାରୀ ହୋଇପାରିଥାନ୍ତେ ।

ତେବେ ଆଜି ରାଜ୍ୟର ଜନମାନସରେ, ସୋସିଆଲ ମିଡ଼ିଆରେ ବିଜେପିର ବିଜୟକୁ ନେଇ ଯେତିକି ଚର୍ଚ୍ଚା ହେଉନି, ତା’ଠାରୁ କାହିଁ କେତେ ଅଧିକ ଚର୍ଚ୍ଚା ହେଉଛି ନବୀନଙ୍କୁ ନେଇ । ନବୀନଙ୍କ ନାମ ଆଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲଗାଇବାକୁ ଅନେକ କୁଣ୍ଠାବୋଧ କରୁଛନ୍ତି । ଅନେକଙ୍କ ଆଖି ଛଳଛଳ ହୋଇଯାଉଛି । ବିଜେଡିର ପରାଜୟ ପରେ ନବୀନ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ । ଦଳମତ ନିର୍ବିଶେଷର ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ସେ ଶୁଭେଚ୍ଛା ଜଣାଇବା ସହ ନିଷ୍ଠାପର ଉଦ୍ୟମ, ତ୍ୟାଗ ପାଇଁ କର୍ମୀ ଓ ନେତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ତେବେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନବୀନ ପ୍ରଥମ ଥର ମୁହାଁ ଖୋଲିଛନ୍ତି । ବିଜେଡି ଶାସନକୁ ଆସିବା ସମୟରେ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ୭୦ ପ୍ରତିଶତ ଲୋକ ରହିଥିବା ବେଳେ ଏବେ ତାହା ୧୦ ପ୍ରତିଶତକୁ ହ୍ରାସ ପାଇଛି । ଓଡ଼ିଶାବାସୀଙ୍କ ବିକାଶ ପାଇଁ ବିଜେଡି ନିରନ୍ତର ପ୍ରୟାସ କରି ଆସିଛି । ଆଗକୁ ତାହା ଜାରି ରହିବ ବୋଲି ନବୀନ କହିଛନ୍ତି । ଆଜି ନବୀନଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଏକ ବୈଠକ ବସିଥିଲା । ଏହି ଅବସରରେ ନବୀନ ସମସ୍ତ ବିଜୟୀ ପ୍ରାର୍ଥୀଙ୍କ ସହ ଆଲୋଚନା କରିବା ସହ ନିଜ ନିଜ ଅଞ୍ଚଳରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.