ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ, ସେପଟେ ନବୀନଙ୍କ ଅସୁସ୍ଥତା କଥା ଶୁଣି ଚିନ୍ତାରେ ମୁଖ୍ୟମନ୍ତ୍ରୀ
ନବୀନଙ୍କ ସୁସ୍ଥତା କାମନା କଲେ ମୁଖ୍ୟମନ୍ତ୍ରୀ।
ଭୁବନେଶ୍ୱର: ଏବେ ଅସୁସ୍ଥ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ତେଣୁ ସେ ଆଗାମୀ ଜୁନ ୨୨ ତାରିଖରେ ଚିକିତ୍ସିତ ହେବା ପାଇଁ ମୁମ୍ୱାଇ ଯିବେ। ଆଉ ନବୀନଙ୍କ ଏକ୍ସରେ ଏହି ପୋଷ୍ଟ ହେବା ପରେ ଚିନ୍ତାରେ ପଡିଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ତେଣୁ ନବୀନଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହ ଶୀଘ୍ର ଭଲ ହୋଇ ଫେରି ଆସିବା ପାଇଁ ଏକ୍ସରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୋହନ ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନଙ୍କ ଅସୁସ୍ଥତା ନେଇ ମୁଁ ଚିନ୍ତାରେ ଅଛି। ଚିକିତ୍ସା ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହେଉ ବୋଲି ପୋଷ୍ଟରେ ଲେଖିଛନ୍ତି ମୋହନ। ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ ନବୀନ ବୋଲି ମଧ୍ୟ କହିଛନ୍ତି।
ତେବେ ଆଜି ସଂନ୍ଧ୍ୟାରେ ନିଜେ ଏକ୍ସରେ ଏକ ପୋଷ୍ଟ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଲେଖିଥିଲେ ଆସନ୍ତା ୨୨ ଜୁନରେ ମୁଁ ମୁମ୍ୱାଇ ଯିବି। ମୁମ୍ୱାଇର କୋକିଲାବେନ୍ ଧିରୁଭାଇ ଅମ୍ୱାନୀ ଡାକ୍ତରଖାନାରେ ମୁଁ ଚିକିତ୍ସିତ ହେବି।
ତାଙ୍କର ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟା ଥିବାରୁ ଚିକିତ୍ସା ପାଇଁ ସେ ମୁମ୍ୱାଇ ଯିବେ। ଡାକ୍ତର ରମାକାନ୍ତ ପଣ୍ଡାଙ୍କ ସମ୍ପୂର୍ଣ୍ଣ ତତ୍ତ୍ୱାବଧାନରେ ନବୀନ ଚିକିତ୍ସା ହେବେ ବୋଲି ନିଜେ ଏକ୍ସରେ ଲେଖି ସୂଚନା ଦେଇଛନ୍ତି।
ତେଣୁ ନବୀନଙ୍କ ଅନୁପସ୍ଥିତିରେ ଦଳୀୟ କାର୍ଯ୍ୟ ରାଜନୈତିକ ବ୍ୟାପାର କମିଟି ସମ୍ଭାଳିବ। ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଦଳର କାର୍ଯ୍ୟକ୍ରମ ବାବଦରେ ସମନ୍ୱୟ ରଖିବେ।