ଦିଲ୍ଲୀ ନୁହେଁ ତାମିଲନାଡୁ ଯାଇଛନ୍ତି ନବୀନ, ସାଙ୍ଗରେ ଅଛନ୍ତି ଭିକେ ପାଣ୍ଡିଆନ !

ପୁଣି ଚର୍ଚ୍ଚାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଧିରେ ଧିରେ ସକ୍ରିୟ ହେଉଛନ୍ତି ଭିକେ ପାଣ୍ଡିଆନ। ପୁଣି ନବୀନଙ୍କ ସହ ସାଙ୍ଗ ହୋଇ ବୁଲିଲେଣି ଭିକେ ପାଣ୍ଡିଆନ।

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ତାଙ୍କ ସହ ଭିକେ ପାଣ୍ଡିଆନ। ନିକଟରେ ନବୀନ ଓ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଥିଲେ ବୋଲି ଚର୍ଚ୍ଚା ହେଉଥିଲା। ନବୀନଙ୍କ ସହ ପାଣ୍ଡିଆନ ପୁଣିଥରେ ଏକାଠି ଗସ୍ତକୁ ନେଇ ସବୁଠି ଆଲୋଚନାର ଆସର ଜମିଥିଲା। ହେଲେ ଏବେ ଦିଲ୍ଲୀ ନୁହେଁ ତାମିଲନାଡୁ ବିମାନ ବନ୍ଦରରେ ନବୀନଙ୍କ ସହ ପାଣ୍ଡିଆନ ନଜର ଆସିଛନ୍ତି।

ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଶୁକ୍ରବାର ଦିନ ତାମିଲନାଡୁର କୋଇମ୍ବାଟୁର ବିମାନବନ୍ଦରରେ ଦେଖିବାକୁ ମିଳିଛି। ଯଦି ନବୀନ ଏକା ଯାଇଥାନ୍ତେ ତାହାଲେ ହୁଏତ ଏତେ ଚର୍ଚ୍ଚା ହୋଇନଥାନ୍ତା। କିନ୍ତୁ ନବୀନ ଏକା ନୁହଁନ୍ତି ତାଙ୍କ ସହ ପାଣ୍ଡିଆନ ମଧ୍ୟ ଏକାଠି ନଜର ଆସିଛନ୍ତି। ଯାହା ସମସ୍ତ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି।

ନବୀନଙ୍କ ସହ ପାଣ୍ଡିଆନ: ତେବେ ଯଦି ପୂର୍ବ ଦିନ ଗୁଡିକ ଉପରେ ନଜର ପକାଇବା, ତାହାଲେ ନବୀନଙ୍କ ସହ ପାଣ୍ଡିଆନ ରହିବା ସ୍ୱଭାବିକ ଥିଲା। କାରଣ ଭିକେ ପାଣ୍ଡିଆନ ବିଜେଡିର ସଦସ୍ୟ ଥିଲେ। ଆଉ କହିବାକୁ ଗଲେ ଦଳକୁ ଏକ ପ୍ରକାର ପାଣ୍ଡିଆନ ହିଁ ଚଲାଉଥିଲେ।

ଏମିତି ଅନେକ ଚର୍ଚ୍ଚା ହେବା ତ ଆପଣମାନେ ଜାଣିଥିବେ। ତେଣୁ ଯେତେବେଳେ ନବୀନ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ସବୁ ସମୟରେ ନବୀନଙ୍କ ପାଖେପାଖେ ରହୁଥିଲେ ଭିକେ ପାଣ୍ଡିଆନ। ଏମିତିକି ନବୀନ ଯେଉଁ କାର୍ଯ୍ୟରେ ଯାଉଥିଲେ ସେଠାରେ ପାଣ୍ଡିଆନ ହିଁ ଉପସ୍ଥିତ ରହୁଥିଲେ।

ନିର୍ବାଚନ ହାରିବା ପରେ: ହେଲେ ଯେତେବେଳେ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ହେଲା, ସେତେବେଳେ ପାଣ୍ଡିଆନ ନିଜେ ସକ୍ରିୟ ରାଜନୀତିରୁ ଅବସର ନେଇଗଲେ। ଆଉ ଯେଉଁ ପାଣ୍ଡିଆନ ଦିନେ କ୍ୟାମେରାର ଫୋକସରେ ରହୁଥିଲେ, ନିର୍ବାଚନ ହାରିବା ପରଠାରୁ ତାଙ୍କର ଗୋଟେ ହେଲେ ବି ଝଲକ ଦେଖିବାକୁ ମିଳିଲାନାହିଁ।

ଆଉ ନିର୍ବାଚନ ହାରିବା ପରେସ ବିରୋଧୀ ଦଳର ନେତା ଆସନରେ ନବୀନ ବସିବା ପରେ, ଆଉ ତାଙ୍କ ପାଖେପାଖେ ମଧ୍ୟ ପାଣ୍ଡିଆନ ରହିଲେନି। ନବୀନ ଯୁଆଡେ ଗଲେ ଏକା ଗଲେ। ଯଦିଓ ପାଣ୍ଡିଆନ ସାମ୍ନାକୁ ଆସୁନଥିଲେ, କିନ୍ତୁ ଶଙ୍ଖ ଭବନରେ ରହି ଦଳର ସବୁ କଥା ସେ ବୁଝୁଥିଲେ ବୋଲି ଅନେକ ନେତା କହିଲେ। ଯେଉଁମାନେ ପୂର୍ବରୁ ବିଜେଡିରେ ଥିଲେ। ବା ଅଛନ୍ତି।

ସକ୍ରିୟ ପାଣ୍ଡିଆନ: ହେଲେ ଏବେ ପୁଣି ନବୀନଙ୍କ ସହ ପାଣ୍ଡିଆନଙ୍କୁ ଦେଖିବା ପରେ କୁହାଯାଉଛି ପାଣ୍ଡିଆନ ଧିରେ ଧିରେ ପୁଣି ସକ୍ରିୟ ହେବାରେ ଲାଗିଛନ୍ତି। ନିକଟରେ ଯେତେବେଳେ ନବୀନ ଦିଲ୍ଲୀ ଯାଇଥିବା କଥା କୁହାଯାଉଥିଲା, ସେତେବେଳେ ବିଜେଡି ନେତା କହିଥିଲେ ନବୀନ ତାଙ୍କ ବ୍ୟକ୍ତିଗତ କାମରେ ଦିଲ୍ଲୀ ଯାଇଛନ୍ତି।

ଆଗରୁ ବି ସେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଦିଲ୍ଲୀ ଯାଆନ୍ତି। ଆଉ ତାଙ୍କ ଘରେ ରୁହନ୍ତି। ଏବେବି ଠିକ୍ ସେହିପରି ସେ ନିଜ ବ୍ୟକ୍ତିଗତ କାମରେ ଯାଇଛନ୍ତି। ଏଥିରେ କୌଣସି ରାଜନୀତି ନାହିଁ। ହେଲେ ଶୁକ୍ରବାର ଦିନ ତାମିଲନାଡୁର କୋଇମ୍ବାଟୁର ବିମାନବନ୍ଦରରେ ନବୀନଙ୍କ ସହ ପାଣ୍ଡିଆନଙ୍କ ଭିଡିଓ ଭାଇରାଲ ହେବା ପରେ ଏହା ଅନ୍ୟଦିଗକୁ ଇସାରା କରୁଛି।

ଡିଲିମିଟେସନ ବୈଠକ: ତେବେ ନିକଟରେ ନବୀନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଦ୍ୱାରା ଆୟୋଜିତ ବିରୋଧୀ ଦଳଗୁଡ଼ିକର ଏକ ବୈଠକକୁ ସମର୍ଥନ ଦେଇ ଚର୍ଚ୍ଚାରେ ରହିଛନ୍ତି। ଏହି ବୈଠକ ନିର୍ବାଚନ ମଣ୍ଡଳୀ ଡିଲିମିଟେସନ ଆଲୋଚନା ପାଇଁ ଆୟୋଜିତ ହୋଇଥିଲା।

ଏହା ପୂର୍ବରୁ ସେ ସମଦୂରତା ନୀତି ଅବଲମ୍ବନ କରୁଥିବା ବେଳେ ଏବେ ତାଙ୍କ ରାଜନୈତିକ ରଣନୀତିରେ ପରିବର୍ତ୍ତନ ଆସୁଛି ବୋଲି ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି ଯେ, ବିଜେଡିର ଦୀର୍ଘସ୍ଥାୟୀ ସ୍ଥିତି ପାଇଁ ନବୀନ ବିରୋଧୀ ଦଳଗୁଡ଼ିକ ସହ ନୂଆ ସମ୍ପର୍କ ଗଢ଼ିବାକୁ ଚାହୁଁଛନ୍ତି। ଷ୍ଟାଲିନ୍‌ଙ୍କ ବୈଠକକୁ ସମର୍ଥନ ପରେ ନବୀନଙ୍କ ଦିଲ୍ଲୀ ଯାତ୍ରା ଏବଂ ଏବେ କୋଇମ୍ବାଟୁର ଗସ୍ତ ତାଙ୍କ ରାଜନୈତିକ ଲକ୍ଷ୍ୟ ନେଇ ନୂଆ ଜଳ୍ପନା ସୃଷ୍ଟି କରିଛି।