fbpx

ଭାରତୀୟ ରାଜନୀତିରେ ନୂଆ ରେକର୍ଡ କଲେ ନବୀନ: ଦ୍ୱିତୀୟ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହି ରଚିଲେ ଇତିହାସ

Advertisement

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ସର୍ବାଧିକ କାଳ ଶାସନ କ୍ଷମତାରେ ରହିବାରେ ଶନିବାର ନବୀନ ଜ୍ୟୋତି ବସୁଙ୍କ ସମକକ୍ଷ ହୋଇଥିବା ବେଳେ ରବିବାର ତାଙ୍କୁ ଅତିକ୍ରମ କରି ଦେଶର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ହେବେ। ଜ୍ୟୋତି ବସୁ ୨୩ ବର୍ଷ୧୩୮ ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଦେଶର ସର୍ବାଧିକ ସମୟ କ୍ଷମତାରେ ରହିବା ରେକର୍ଡ ସିକିମ୍‌ର ପୂର୍ବତନ ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମ୍ବଲିଂଙ୍କ ନାମରେ ରହିଛି।

ରାଜନୀତିରେ ପ୍ରବେଶ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଗତ ୨୩ ବର୍ଷଧରି ଅପରାଜୟ ଅପ୍ରତିଦ୍ୱନ୍ଦି ନେତାଭାବେ ନିରବଛିନ୍ନ ଭାବେ ଶାସନ କରି ଆସୁଛନ୍ତି। ଖୁବ୍‌ଶୀଘ୍ର ନବୀନ ଏକ ବଡ଼ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି। ଆଗାମୀ ଜୁଲାଇ ୩୦ ତାରିଖରେ ଅର୍ଥାତ୍ ୧୦ ଦିନ ପରେ ନବୀନ ଭାରତର ସବୁଠାରୁ ଦ୍ୱିତୀୟ ସର୍ବାଧିକ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ ନିଜ ନାମରେ କରିବେ।

ଓଡ଼ିଆ ନଜାଣି ଓଡ଼ିଶାବାସୀଙ୍କ ମନରେ ବସିଲେ:

ନବୀନ ୧୯୯୭ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ୧୯୯୮ରେ ବାପା ବିଜୁ ପଟ୍ଟନାୟକଙ୍କ ନାମରେ ଆଞ୍ଚଳିକ ଦଳ ଗଠନ କରିଥିଲେ । ପ୍ରଥମ ଥର ୨୦୦୦ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଓଡ଼ିଶା ରାଜନୀତିରେ ପ୍ରବେଶ କରିବା ସମୟରେ ନବୀନ ଓଡ଼ିଆ ଜାଣି ନଥିଲେ, କିନ୍ତୁ ଗଲା ୨୩ ବର୍ଷ ଧରି ନବୀନଙ୍କ ବ୍ୟତିତ ଆଉ କେହି ବୋଧହୁଏ ଓଡ଼ିଶାବାସୀଙ୍କ ଭାଷା ବୁଝିପାରି ନାହାନ୍ତି । ଯେଉଁଥି ପାଇଁ ଏତେ ଲମ୍ବା ସମୟ ପର୍ଯ୍ୟନ୍ତ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ରହିଛନ୍ତି ।

ନବୀନ ଓଡ଼ିଶାର ଶାସନଭାର ସମ୍ଭାଳିବା ସମୟରେ ଓଡ଼ିଶା ୧୯୯୯ ମସିହାର ମହାବାତ୍ୟା ମାଡ଼ରେ ଅଣ୍ଟାଭାଙ୍ଗି ପଡ଼ିଥିଲା । ଏହି ସମୟରେ ଓଡ଼ିଶା ଏକ ଅତି ଗରିବ ରାଜ୍ୟ ଥିଲା, ଯେଉଁଠି ଲୋକମାନେ ଦୁଇ ଓଳା ମୁଠାଏ ଖାଇବାକୁ ପାଉ ନଥିଲେ । ସେତେବେଳର ଗରିବ ପଛୁଆ ଓଡ଼ିଶାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଠି ଆଣି ଛିଡ଼ା କରିଛନ୍ତି, ସମଗ୍ର ବିଶ୍ୱ ତାକୁ ଆଖି ଉଠାଇ ଚାହୁଁଛି । ଅଭାବି ରାଜ୍ୟରୁ ଓଡ଼ିଶା ଆଜି ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି, ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ତଥା କ୍ରୀଡ଼ା ଆଦି ସମସ୍ତ କ୍ଷେତ୍ରରେ ନବୀନଙ୍କ ନେତୃତ୍ୱରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।

କଥା କହୁଛି କାମ:

ଗତ ୫ ବର୍ଷ ମଧ୍ୟରେ ଦୁଇ ଦୁଇଥର ହକି ବିଶ୍ୱକପ୍ ଆୟୋଜନ କରିବା ସହିତ ଭାରତର କ୍ରିଡ଼ା ରାଜଧାନୀ ପାଲଟିଛି ଭୁବନେଶ୍ୱର । ସମୁଦ୍ର କୁଳିଆ ରାଜ୍ୟ ଓଡ଼ିଶା ପ୍ରତିବର୍ଷ ବାତ୍ୟା ବନ୍ୟାର ସମ୍ମୁଖିନ ହୋଇଥାଏ । ତେବେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରାକୃତିକ ବିପର୍ଯ୍ୟୟର ମୁକବିଲା କ୍ଷେତ୍ରରେ ଓଡ଼ିଶା ଆଜି ଯେଉଁ ମଡେଲ ପ୍ରତିଷ୍ଠା କରିଛି, ତାହାକୁ ମିଳିତ ଜାତିସଂଘ ମଧ୍ୟ ପ୍ରଶଂସା କରିଛି । ଓଡ଼ିଶା ୨୦୨୧-୨୨ରେ ୧୧.୫% ହାରରେ ଅଭିବୃଦ୍ଧି କରିଥିବା ବେଳେ ୨୦୨୨-୨୩ରେ ୭.୮% ହାରରେ ଅଭିବୃଦ୍ଧି କରିଥିଲା । ଏହା ସହିତ ଓଡ଼ିଶା ବର୍ତ୍ତମାନ ଭାରତର ବିଦ୍ୟୁତ୍ ବଳକା ରାଜ୍ୟ ମଧ୍ୟରୁ ଅନ୍ୟତମ ।

ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଏପରି ଜଣେ ନେତା ଯିଏ ଗଣମାଧ୍ୟମ ସାମ୍ନାରେ କ୍ୱଚିତ୍ କଥା କୁହନ୍ତି, କିନ୍ତୁ ଗତ ୨୩ ବର୍ଷ ମଧ୍ୟରେ ସେ ଓଡିଶାକୁ ନୂଆ ରୂପ ଦେବାରେ ସେ ଟିକିଏ ଅବହେଳା କରିନାହାନ୍ତି । ନବୀନ ପଟ୍ଟନାୟକ ହେଉଛନ୍ତି ଭାରତୀୟ ରାଜନୀତିର ଏପରି ଜଣେ ନେତା ଯିଏ ବହୁତ କମ୍ କଥା କୁହନ୍ତି ଏବଂ ତାଙ୍କର କାମ ଅଧିକ କଥା କୁହେ ।

୨୩ ବର୍ଷଧରି ଅପରାଜୟ ଅପ୍ରତିଦ୍ୱନ୍ଦି ନେତା:

କେନ୍ଦ୍ରରେ ଥିବା ସରକାରକୁ ନବୀନ ପଟ୍ଟନାୟକ ସମର୍ଥନ କରନ୍ତି ଏବଂ ରାଜ୍ୟରେ ସମସ୍ତ ଲୋକପ୍ରିୟ ନେତା ନବୀନଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥାନ୍ତି । ଯାହା ଫଳରେ ବିରୋଧୀମାନେ ନବୀନଙ୍କୁ ଶତଚେଷ୍ଟା ସତ୍ୱେ ବିଫଳ ହୋଇଥାନ୍ତି । ନବୀନ ପ୍ରଥମେ ବିଜେପି ସହିତ ମିଶି ୨୦୦୦ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଓଡ଼ିଶାର ଶାସନ କରିଥିଲେ । ଏହାପରେ ବିଜେପି ହାତ ଛାଡ଼ି ନବୀନ ଏକାକି ଆଗକୁ ବଢିଥିଲେ ଏବଂ ସେବେଠାରୁ ବିରୋଧୀ ନବୀନଙ୍କୁ ହରାଇବା ଦୁରର କଥା ତାଙ୍କ ବିରୋଧରେ ଲୋକମତ ସୃଷ୍ଟି କରିବାରେ ମଧ୍ୟ ବିଫଳ ହୋଇଛନ୍ତି ।

କିଏ ଭାରତର ଦୀର୍ଘତମ ମୁଖ୍ୟମନ୍ତ୍ରୀ ?

ଭାରତରେ ସର୍ବାଧିକ ଲମ୍ବା ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିବା ତାଲିକାରେ ସିକ୍କିମ୍‌ର ପୱନ କୁମାର ଚାମଲିଙ୍ଗ ଆଗରେ ରହିଛନ୍ତି । ୨୩ ବର୍ଷରେ ରାଜନୀତିରେ ପାଦ ଦେଇଥିବା ଚାମଲିଙ୍ଗ ୧୯୯୪ ମସିହା ୧୨ ଡିସେମ୍ବରରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ଏହାପରେ ୨୦୧୪ରେ ସେ ଲଗାତାର ପଞ୍ଚମ ଥର ପାଇଁ ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏବଂ ୨୯ ଏପ୍ରିଲ ୨୦୧୯ରେ ଜ୍ୟୋତି ବାସୁଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଥିଲେ । ଚାମଲିଙ୍ଗ ମୋଟ୍ ୨୪ ବର୍ଷ ୧୬୬ ଦିନ ସିକ୍କିମର ମୁଖ୍ୟମନ୍ତ୍ରୀ ରହିଥିଲେ ।

ଏବେ ମୁଖ୍ୟମନ୍ତ୍ରୀ ଜ୍ୟୋତି ବାସୁଙ୍କ ଏହି ରେକର୍ଡ ଭାଙ୍ଗି ଭାରତର ଦ୍ୱିତୀୟ ସର୍ବାଧିକ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବାର ଇତିହାସ ରଚିବେ । ଜ୍ୟୋତି ବାସୁ ପଶ୍ଚିମ ବଙଯଗରେ ସିପିଏମ୍‌ର ୩୪ ବର୍ଷ ଶାସନରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଥିଲେ ।

 

Get real time updates directly on you device, subscribe now.