ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଆଜି ଜାତୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି)କୁ ଡିମଡ୍ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି । ଏନସିଇଆରଟିର ୬୩ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ଼ ଘୋଷଣା କରିଛନ୍ତି । ଏହି ଅବସରରେ ବାଲ ଭବନ ଓ ବାଲ ବାଟିକାକୁ ମିଶ୍ରଣ କରି ଛାତ୍ରଛାତ୍ରୀଙ୍କୁ ସାମଗ୍ରୀ ଶିକ୍ଷା ପ୍ରଦାନ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି ।
ତେବେ ଏନସିଇଆରଟିକୁ ଡିମଡ୍ ୟୁନିଭରସିଟି ମାନ୍ୟତା ପ୍ରଦାନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ସିଆଇଇଟିର ଏକ ଅତ୍ୟାଧୁନିକ ଆଇସିଟି ଲ୍ୟାବର ଲୋକାର୍ପଣ ମଧ୍ୟ କରିଥିଲେ । ଏଥିସହିତ ମାତୃଭାଷା ଉପରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବାକୁ ସେ ଗୁରୁତ୍ୱ ଦେଇ ଏନସିଇଆରଟିକୁ ତା’ର ୭ଟି ଆଞ୍ଚଳିକ କେନ୍ଦ୍ରରେ ଏଆର, ଭିଆର, ଏଆଇ ଲାବ ସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ ।
ଛାତ୍ରଛାତ୍ରୀଙ୍କର ପସନ୍ଦ ଅନୁଯାୟୀ ଶିକ୍ଷା ପ୍ରଦାନ କରାଗଲେ ସେମାନଙ୍କର ବିକାଶ ହୋଇ ପାରିବ । ୩ରୁ ୮ ବର୍ଷ ବୟସର ଶିଶୁଙ୍କ ପାଇଁ ବିକଶିତ ହୋଇଥିବା କ୍ରୀଡ଼ା ଆଧାରିତ ଶିକ୍ଷା ‘ଯାଦୁଇ ପିଟାରା’ ଶିକ୍ଷା ପଦ୍ଧତି ପରିବର୍ତ୍ତନ ଫଳରେ ଦେଶର ୧୦ କୋଟି ଛାତ୍ରଛାତ୍ରୀ ଉପକୃତ ହେବେ । ବୈଶ୍ୱିକ ଶିକ୍ଷାରେ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ଏନସିଇଆରଟି ନୂଆ ସୁଯୋଗ ସୃଷ୍ଟି କରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ଏନସିଇଆରଟିକୁ ଏହି ମାନ୍ୟତା ମିଳିବା ନେଇ ଗତବର୍ଷ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା ।