fbpx

NCERT Study Report: ତୃତୀୟ ଶ୍ରେଣୀ ପିଲାଙ୍କୁ ଆସୁନି ମିଶାଣ-ଫେଡ଼ାଣ, ଗୁଣନ-ହରଣ, ମାସ, ତାରିଖ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ପିଲା ଜାଣିନାହାନ୍ତି ମିଶାଣ-ଫେଡ଼ାଣ । ଖାଲି ଏତିକି ନୁହେଁ ଏମାନେ ସଂଖ୍ୟା ବି ଚିହ୍ନି ପାରୁନାହାନ୍ତି । ଦୁଇ ଅଙ୍କ ବିଶିଷ୍ଟ ଏକ ସଂଖ୍ୟା ପଚାରିଲେ ଏଣେତେଣେ ଚାହୁଁଛନ୍ତି । ୩୦ରେ ୩୨ ମିଶାଇଲେ କେତେ ହେବ ତାହା ମଧ୍ୟ କହିପାରୁ ନାହାନ୍ତି । ଏହା ହେଉଛି ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଚିତ୍ର ।

ନିକଟରେ କେନ୍ଦ୍ର ସରକାର ଏବଂ ଜାତୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ପକ୍ଷରୁ ଫାଉଣ୍ଡେସନ ଲର୍ଣ୍ଣିଂ ଷ୍ଟଡି (ଏଫଏଲଏସ) ତରଫରୁ ଏକ ଷ୍ଟଡି କରାଯାଇଥିଲା । ଏଫଏଲଏସ-୨୦୨୨ର ରିପୋର୍ଟରୁ ଏହି ଚିତ୍ର ସାମ୍ନାକୁ ଆସିଛି । ସମଗ୍ର ଦେଶରେ ଏହି ଷ୍ଟଡି କରାଯାଇଥିବା ବେଳେ ଓଡ଼ିଆ, ଇଂରାଜୀ, ଉର୍ଦ୍ଦୁ, ହିନ୍ଦି ଓ ଗଣିତ ବିଷୟକୁ ଏଥିରେ ସାମିଲ କରାଯାଇଥିଲା ।

ଓଡ଼ିଶାର ୩୨୯ରୁ ଅଧିକ ସ୍କୁଲରୁ ୩ ହଜାର ୮୬ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି ଷ୍ଟଡି କରାଯାଇଥିଲା । ତେବେ ୪୧ ପ୍ରତିଶତ ପିଲା ତିନି ଅଙ୍କ ବିଶିଷ୍ଟ ଯୋଗ କରିପାରିନଥିଲେ । ସେହିପରି ୨୯ ପ୍ରତିଶତ ପିଲା ବିୟୋଗ କରିବା କ୍ଷେତ୍ରରେ ଅସମର୍ଥ ଥିଲେ । ତେବେ ଜାତୀୟ କ୍ଷେତ୍ରରେ ଏହି ହାର ୪୧ ପ୍ରତିଶତ ରହିଥିବା ଜଣାପଡ଼ିଥିଲା । କାଗଜ, କଲମ ବ୍ୟବହାର ନକରି ୮୮ ପ୍ରତିଶତ ପିଲା ଯୋଗ-ବିୟୋଗ କରିପାରିନଥିଲେ । ମାତ୍ର ୪୯ ଜଣ କ୍ୟାଲେଣ୍ଡର ଦେଖି ମାସ, ତାରିଖ, ଦିନ ଚିହ୍ନିବାରେ ସଫଳ ହୋଇଥିଲେ ।

ତେବେ ୪୫ ପ୍ରତିଶତ ପିଲା ମିଶାଣରେ ସଫଳ ହୋଇଥିବା ବେଳେ ୩୫ ପ୍ରତିଶତ ପିଲା ଫେଡ଼ାଣରେ ସଫଳ ହୋଇଥିଲେ । ସେହିପରି ଗୁଣନ ଓ ହରଣ କ୍ଷେତ୍ରରେ ମଧ୍ୟ ପିଲାମାନେ ପଛରେ ପଡ଼ିଥିବା ଜଣାପଡ଼ିଥିଲା । ୫୬ ପ୍ରତିଶତ ପିଲା ଘଣ୍ଟା ଦେଖି ସମୟ ଜାଣି ପାରିନଥିଲେ । ଜାତୀୟ ହାରଠାରୁ ରାଜ୍ୟ ହାର ପଛରେ ରହିଥିବା ଜଣାପଡ଼ିଛି । ରାଜ୍ୟର ତୃତୀୟ ଶ୍ରେଣୀର ପିଲାମାନେ ଓଡ଼ିଆ ବାକ୍ୟ ପଢ଼ି ପାରୁନାହାନ୍ତି । ୧୨ ପ୍ରତିଶତ ପିଲା ଏ କ୍ଷେତ୍ରରେ ପଛରେ ଅଛନ୍ତି । ତେବେ ଓଡ଼ିଆଠାରୁ ଇଂରାଜୀରେ ପିଲାମାନେ ଭଲ ପ୍ରଦର୍ଶନ କରିଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.