ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନ ପାଇଁ ଆଜି ଚାଲିଛି ଭୋଗ ଗଣତି । ବର୍ତ୍ତମାନ ସୁଦ୍ଧା ଫାଇନାଲ ଫଳାଫଳ ଘୋଷଣା ହୋଇନଥିଲେ ହେଁ ରାଜ୍ୟରେ ଏଥର ସରକାର କିଏ ଗଢ଼ିବ ତାହା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ସଦ୍ୟ ଗଣତି ମୁତାବକ, ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ୧୨୯ଟି ଆସନରେ ବିଜୟୀ ହେବା ସହ ୧୦୨ଟି ଆଗରେ ରହିଛି । ଅନ୍ୟପକ୍ଷରେ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ମେଣ୍ଟ ମାତ୍ର ୨୧ଟି ଆସନରେ ବିଜୟୀ ହେବା ସହ ୨୯ଟି ଆସନରେ ଆଗୁଆ ରହିଛି ।
ମୋଟ ୨୮୮ଟି ଆସନ ମଧ୍ୟରୁ ଏନଡିଏ ୨୩୧ଟି ଆସନକୁ କବଜା କରିଥିବା ବେଳେ ଇଣ୍ଡିଆ ମେଣ୍ଟ ମାତ୍ର ୫୦ଟିରେ ନିଜର ଆଧିପତ୍ୟ ଜାହିର କରିଛି । ତେଣୁ ମହାରାଷ୍ଟ୍ରରେ ଏଥର ଏନଡିଏ ସରକାର ଗଠନ କରିବା ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ତେବେ ରାଜ୍ୟରେ ଏନଡିଏ ସରକାର ଏକପ୍ରକାର ଫାଇନାଳ ହୋଇସାରିଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ତା’ ଉପରେ ଏବେ ସାରା ଦେଶବାସୀଙ୍କ ନଜର । ଆଜି କିମ୍ବା ଆସନ୍ତାକାଲି ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନକୁ ନେଇ ନିଷ୍ପତ୍ତି ସ୍ଥିର ହୋଯିବ । ବିଜେପି ମହାସଚିବ ବିନୋଦ ତାୱଡ଼େ ଏନେଇ ସୂଚନା ଦେଇଛନ୍ତି । ଦେବେନ୍ଦ୍ର ଫଡନବୀସ, ଏକନାଥ ଶିନ୍ଦେ ଓ ଅଜିତ ପାୱାରଙ୍କ ଏକାଧିକ ହେଭିୱେଟ୍ ସିଏମ୍ ରେସରେ ରହିଥିବା ବେଳେ ଦଳର ହାଇକମାଣ୍ଡ କେଉଁ ଚାଲ୍ ଖେଳୁଛନ୍ତି, ତାହା ଏବେ ବଡ଼ ପ୍ରଶ୍ନ ।